fbpx

କେନ୍ଦ୍ର ସରକାରଙ୍କ ଘୋଷଣା: ଗଗନଯାନର ପ୍ରଥମ ଟ୍ରାଏଲ ଅକ୍ଟୋବର ମାସରେ ହେବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ଏବେ ଭାରତର ଗଗନଯାନ-୧ ମିଶନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ମିଶନରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ମାନବ ପଠାଇବ । ଏହି ମିଶନ ତିନୋଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ଦୁଇ ଥର ମାନବିହୀନ ବିମାନ ପଠାଯିବ । ତା’ ପରବର୍ତ୍ତୀ ଉଡ଼ାଣରେ ମାନବକୁ ମହାକାଶକୁ ପଠାଯିବ । ତେବେ ଏହି ମିଶନରେ ୩ ଜଣ ମହାକାଶ ଯାତ୍ରୀଙ୍କୁ ପଠାଯିବ ବୋଲି ଜଣାପଡ଼ିଛି ।

ଗଗନଯାନ ମିଶନର ଟ୍ରାଏଲରେ ଜଣେ ମହିଳା ରୋବୋଟ ‘ବ୍ୟୋମମିତ୍ର’କୁ ପଠାଯିବ ବୋଲି ଗତ ମାସ ୨୬ ତାରିଖରେ କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ । ଉକ୍ତ ରୋବୋଟ ସମସ୍ତ ମାନବୀୟ ଗତିବିଧିକୁ ନକଲ କରିବ । ଯଦି ସବୁକିଛି ଠିକ ରୁହେ, ତେବେ ଏହି ମିଶନ ଆଗକୁ ଯାଇ ପାରିବ । ଆସନ୍ତା ଅକ୍ଟୋବର ମାସର ପ୍ରଥମ ବା ଦ୍ୱିତୀୟ ସପ୍ତାହରେ ମହାକାଶ ଉଡ଼ାଣର ଏକ ପରୀକ୍ଷଣ କରାଯିବ ବୋଲି କୁହାଯାଉଥିଲା । କୋଭିଡ-୧୯ ମହାମାରୀ କାରଣରୁ ଗଗନଯାନ ମିଶନରେ ବିଳମ୍ବ ହୋଇଥିଲା ।

ଅଗଷ୍ଟ ୨୩ରେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚିଥିଲା । ଏଥିସହିତ ଋଷ, ଆମେରିକା ଓ ଚୀନ ପରେ ଚତୁର୍ଥ ଦେଶ ଭାବେ ଭାରତ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ଭାରତର ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏକ ବଡ଼ ସଫଳତା । ଏହା ମଧ୍ୟରେ ଇସ୍ରୋ ଆଜି ତା’ର ମହତ୍ତ୍ୱପୂର୍ଣ୍ଣ ମିଶନ ଆଦିତ୍ୟ ଏଲ୧କୁ ଲଞ୍ଚ କରିଛି । ଏହି ଯାନ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଥିବା ପଏଣ୍ଟ ଏଲ୧କୁ ଯାଇ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ।

Get real time updates directly on you device, subscribe now.