ଜି-୨୩ ଆଗରେ ମୁଣ୍ଡ ନୁଆଁଇଲା ଗାନ୍ଧୀ ପରିବାର ?  ଆଜି ଗୁଲାମ ନବି ଆଜାଦଙ୍କୁ ଭେଟି ପାରନ୍ତି ସୋନିଆ 

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଜୋର ଧରିଛି ବିରୋଧର ସ୍ଵର। ଅସନ୍ତୁଷ୍ଟ ଜି-୨୩ ଗ୍ରୁପ ଲଗାତାର ବୈଠକ କରି ପାର୍ଟି ହାଇକମାଣ୍ଡଙ୍କୁ ଦଳର ସଂଗଠନରେ ପରିବର୍ତ୍ତନ ଆଣିବାକୁ ଚାପ ପକାଉଛନ୍ତି। ଏହା ଏବେ କଂଗ୍ରେସକୁ ଅଡୁଆ ପରିସ୍ଥିତିରେ ପକାଇଛି। ଏହା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ଭେଟିବାର ସମ୍ଭାବନା ରହିଛି।

ପାର୍ଟିର ସର୍ବୋଚ୍ଚ ନିର୍ଣ୍ଣୟକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ବିଶ୍ଵସ୍ତଙ୍କ ଆଭିମୁଖ୍ୟରେ ଅସନ୍ତୁଷ୍ଟ ଗୋଷ୍ଠୀ ବୁଧବାରଠୁ କ୍ରମାଗତ ବୈଠକ କରୁଛନ୍ତି। ଗାନ୍ଧୀ ପରିବାରର ବିଶ୍ଵସ୍ତ ଏବଂ ଘନିଷ୍ଠ ନେତା ମାନେ ଗାନ୍ଧୀ ପରିବାର ହାତରେ କଂଗ୍ରେସର ନେତୃତ୍ଵ ଦାୟିତ୍ଵ ରହିବା ଉପରେ ଜୋର ଦେଉଛନ୍ତି।

ସିଡବ୍ଲ୍ୟୁସି ନିଜର ଗତ ବୈଠକରେ ପାର୍ଟିର ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପଦରୁ ଇସ୍ତଫା ଦେବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଅପରପକ୍ଷେ ଜି-୨୩ ଗ୍ରୁପ ସଂଗଠନରେ ପୁନର୍ଗଠନ ଦାବି କରି ଆସୁଛନ୍ତି।

କଂଗ୍ରେସର ବରିଷ୍ଠ େନତା କପିଲ ସିବଲ ସିଧାସଳଖ କହି ଦେଇଛନ୍ତି ଯେ, କଂଗ୍ରେସର ନେତୃତ୍ଵ ଦାୟିତ୍ଵ ଗାନ୍ଧୀ ପରିବାର ଓହରିଯିବା ଉଚିତ୍। ଦଳର ପୁନର୍ଗଠନ ହେବା ଉଚିତ୍। କଂଗ୍ରେସର ନେତୃତ୍ଵ ନେବାକୁ ଅନ୍ୟଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି ସେ କହିଛନ୍ତି। କଂଗ୍ରେସକୁ ଆଗକୁ ବଢିବାର ଏକ ମାତ୍ର ଉପାୟ ସବୁ ସ୍ତରରେ ନେତୃତ୍ଵ ଏବଂ ନିର୍ଣ୍ଣୟ ନେବାର ଗୋଟିଏ ମୋଡେଲ୍ ପ୍ରସ୍ତୁତ କରାଯାଉ ବୋଲି ସେ କହିଛନ୍ତି।