fbpx

ଦୁର୍ଦ୍ଦାନ୍ତ ହାଇଦରକୁ ଏନକାଉଣ୍ଟର୍, ପେଟରେ ବାଜିଛି ଗୁଳି

କଟକ(ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର୍ ଦୁର୍ଦ୍ଦାନ୍ତ ହାଇଦରକୁ ପୋଲିସ୍ ଏନକାଉଣ୍ଟର୍ କରିଛି । ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବାବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି । ମଉକା ଦେଖି ସିମୁଳିଆ ନିକଟରେ ସେ ଖସିଯିବାକୁ ଚେଷ୍ଟା କରିବା ପରେ ପୋଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ କଟକ ବଡ଼ ମେଡିକାଲରୁ ଥରେ ଖସି ଯାଇଥିଲା ହାଇଦର୍ । ଆଉ ତାକୁ ତେଲଙ୍ଗାନାରୁ ପୁଣି କାବୁ କରିଥିଲା ପୋଲିସ୍ । ପରେ କୋଭିଡ୍ ଆକ୍ରାନ୍ତ ହେବା ପରେ ହାଇଦରକୁ କଟକ ଚୌଦ୍ୱାର ଜେଲ୍ରେ ରଖାଯାଇଥିଲା । ଆଉ ସୁସ୍ଥ ହେବା ପରେ ତାକୁ ବାରିପଦା ଜେଲ୍ ନିଆଯାଉଥିବାବେଳେ ସେ ପୁଣି ଖସି ଯିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି । ଅପରାହ୍ଣ ୩ଟା ୨୦ ବେଳକୁ ଏଭଳି ଘଟଣା ଘଟିଥିଲା । ଫଳରେ ସୁରକ୍ଷାକର୍ମୀ ବାଧ୍ୟ ହୋଇ ତାକୁ ଅଟକାଇବାକୁ ଏନକାଉଣ୍ଟର୍ କରିଥିଲେ । ହାଇଦରର ପେଟରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ୍ ନିଆଯାଉଛି । ହାଇଦରକୁ ଜଣେ ଇନ୍ସପେକ୍ଟର୍, ଜଣେ ଏସଆଇ ଓ ଏକ ସେକ୍ସନ ପୋଲିସ୍ ଫୋର୍ସ ନେଉଥିଲେ । ତେବେ ପରିସ୍ରା ଯିବ ବୋଲି କହି ଖସିଯିବାକୁ ବସିଥିଲା ହାଇଦର୍ । ତାକୁ ଚେତାବନୀ ଦେବା ପରେ ମଧ୍ୟ ସେ ଶୁଣିନଥିଲା । ଫଳରେ ବାଧ୍ୟ ହୋଇ ପୋଲିସ୍ ଏନକାଉଣ୍ଟର୍ କରିଥିଲା । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.