ବେଙ୍ଗଲୁରୁ: ଏହି କ୍ୟାଣ୍ଡି ପାଟି ସୁଆଦ ପାଇଁ ନୁହେଁ। ଏହାକୁ ଖାଇଲେ ମୁଣ୍ଡ ବୁଲାଇବ ଘିରି ଘିରି ହୋଇ। ଆପଣମାନଙ୍କ ଭିତରୁ ଅନେକଙ୍କୁ କ୍ୟାଣ୍ଡି ଖାଇବାକୁ ଭଲ ଲାଗୁଥିବ। ଆଉ ଏମିତି ବି କିଛି ଲୋକ ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ସହ ଅଭ୍ୟସ୍ତ ଥିବେ।
କିନ୍ତୁ ଭାବନ୍ତୁ ଯଦି କେହି କ୍ୟାଣ୍ଡି ଭିତରେ ଗଞ୍ଜେଇ ମିଶାଇ ବିକ୍ରି କରେ, ତାହାଲେ ଆପଣ କ’ଣ ଜାଣିପାରିବେ, କି କ୍ୟାଣ୍ଡିରେ ଗଞ୍ଜେଇ ମିଶାଯାଇଛି ବୋଲି। ହେଲେ ଏମିତି ଏକ ଖବର ସାମ୍ନାକୁ ଆସିଛି। ଏଥିପାଇଁ ପୋଲିସ ମଧ୍ୟ ୨ ଜଣଙ୍କୁ ଗିରଫ କରିଛି।
କ୍ୟାଣ୍ଡିରେ ଗଞ୍ଜେଇ: ସୂଚନା ଅନୁସାରେ, ବାତ୍ରାୟନପୁରା ପୋଲିସ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଛାତ୍ରମାନଙ୍କୁ ଗଞ୍ଜେଇ ମିଶା ଜେଲି ଚକୋଲେଟ୍ ବା କ୍ୟାଣ୍ଡି ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମହମ୍ମଦ ଜାହିଦ ଏବଂ ଇସମାଇଲ୍ ଆଦନାନ। ପୋଲିସ ଏବେ ବି ଆଉ ଜଣେ ଫେରାର ଅଭିଯୁକ୍ତକୁ ଖୋଜୁଛି। ଅଭିଯୁକ୍ତମାନେ ମାଙ୍ଗାଲୋରର ଜଣେ ବନ୍ଧୁଙ୍କ ମାଧ୍ୟମରେ ବ୍ୟବସାୟ ଚଳାଉଥିଲେ।
ଗଞ୍ଜେଇ ଜବତ: କୁହାଯାଉଛି ଯେ ବତାରାୟଣପୁରା ଇନ୍ସପେକ୍ଟର କେ. ଜୀବନଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅପରେସନ୍ କରିଥିଲା। ଏହି ଅପରେସନରେ ଅଭିଯୁକ୍ତକୁ ଗିରଫ କରିବା ସହିତ ମୋଟ୍ ୩ ଲକ୍ଷ ଟଙ୍କା ମୂଲ୍ୟର ୧୪୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।
ଚଢାଉ ସମୟରେ ଜଣାପଡିଥିଲା ଯେ ଜେଲି ଚକୋଲେଟରେ ଗଞ୍ଜେଇ ମିଶାଯାଉଥିଲା। ତା’ପରେ ଏହାକୁ ବିକ୍ରି କରାଯାଉଥିଲା। ଅଭିଯୁକ୍ତମାନେ ଏହି ଗଞ୍ଜେଇ କ୍ୟାଣ୍ଡି କେଉଁଠାରୁ ତିଆରି କରୁଥିଲେ ପୋଲିସ ଏବେ ତାର ପତ୍ତା କରୁଛି।
ଏକ ପ୍ୟାକେଟର ମୂଲ୍ୟ କେତେ: ସୂଚନାନୂସାରେ, ଅଭିଯୁକ୍ତ ଜଣକ ଗଞ୍ଜେଇ ପତ୍ରର ରସକୁ କ୍ୟାଣ୍ଡିରେ ମିଶାଉ ଥିଲେ। ଏବଂ ଏହି ଗଞ୍ଜେଇ ମିଶା ଗୋଟିଏ କ୍ୟାଣ୍ଡି ପ୍ୟାକେଟର ଦାମ୍ ଥିଲା ୬ ହଜାର ଟଙ୍କା।
ଏହି କ୍ୟାଣ୍ଡିକୁ ପାଟିରେ ରଖିବା ମାତ୍ରେ, ଜେଲି ତରଳିଯାଏ। ତା’ପରେ ନିଶା ଲାଗିଯାଏ। ଏହି ଜେଲି ବିଷୟରେ କୁହାଯାଏ ଯେ ଏହା ଗଞ୍ଜେଇ ପତ୍ର ଏବଂ ହାସିସ୍ ଡ୍ରଗ୍ ଅପେକ୍ଷା ଅଧିକ ତିକ୍ତ। ଏହାକୁ ପକେଟରେ ରଖିଲେ ମଧ୍ୟ କେହି ସନ୍ଦେହ କରନ୍ତି ନାହିଁ।