fbpx
BJD SKY
BJD SKY

ଗୌତମ ଅଦାନୀ ହୋଇ ପାରନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି, କମୁଛି ଅନ୍ୟ କୋଟିପତିଙ୍କ ସଂପତ୍ତି

BJD

ନୂଆଦିଲ୍ଲୀ: ସଂପତ୍ତି ମାମଲାରେ ଗୌତମ ଅଦାନୀ ନିଜ ଦେଶର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ବହୁ ପଛରେ ପକାଇ ସାରିଛନ୍ତି। ଏବେ ତାଙ୍କର ନଜର ଦୁନିଆର କୋଟି ପତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିବା ଉପରେ ରହିଛି। ବର୍ତ୍ତମାନ ଅଦାନୀ ୧୩୧ ବିଲିୟନ ଡଲାର ମୋଟ୍ ସଂପତ୍ତି ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କ ଉପରେ ଅଛନ୍ତି ବର୍ଣ୍ଣାଡ ଆରନଲ୍ଟ। ତାଙ୍କ ମୋଟ୍ ସଂପତ୍ତି ହେଉଛି ୧୪୯ ବିଲିୟନ ଡଲାର। ଅଦାନୀଙ୍କ ସଂପତ୍ତି ରକେଟ୍ ପରି ଉପରକୁ ବଢି ଚାଲିଛି। ତାଙ୍କ ତୂଳନାରେ ଟପ୍-୧୦ କୋଟିପତିଙ୍କ ସଂପତ୍ତି ହ୍ରାସ ପାଇ ଚାଲିଛି। ଯଦି ଏମିତି ଟ୍ରେଣ୍ଡ ଜାରି ରହେ ତେବେ ବର୍ତ୍ତମାନ ଆୟରେ ଏକ ନମ୍ବରରେ ଥିବା ଅଦାନୀ ଦୁନିଆର ଏକ ନମ୍ବର ଧନୀ ହୋଇଯିବେ।

ବର୍ଷ ଏବଂ ଦିନ ଆଧାରରେ ପୁଣି ଥରେ ଅଦାନୀ ଦୁନିଆର ସମସ୍ତ ଧନୀ ବ୍ୟକ୍ତିଙ୍କୁ ପଛରେ ପକାଇଛନ୍ତି। ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସ ମୁତାବକ ଅଦାନୀଙ୍କ ସଂପତ୍ତିରେ ୫୪.୯ ବିଲିୟନ ଡଲାର ବୃଦ୍ଧି ଘଟିଛି। ଅନ୍ୟପଟେ ଏଲନ ମସ୍କଙ୍କ ସଂପତ୍ତି ୩.୭୪ ବିଲିୟନ ଡଲାର, ଜେଫ ବେଜୋସଙ୍କ ୨୩.୫ ବିଲିୟନ ଡଲାର, ବର୍ଣ୍ଣାର୍ଡ ଆରନଲ୍ଟଙ୍କ ୨୯.୧ ବିଲିୟନ ଡଲାର, ବିଲ୍ ଗେଟ୍ସଙ୍କ ୧୪.୯ ବିଲିୟନ ଡଲାର, ଲାରି ପେଜଙ୍କ ୧୮.୫ ବିଲିୟନ ଡଲାର, ଓ୍ଵାରେନ ବୋଫେଟଙ୍କ ୨.୦୮ ବିଲିୟନ ଡଲାର ସଂପତ୍ତି ହ୍ରାସ ପାଇଛି। ଅନ୍ୟପଟେ ୧୧ତମ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କ ସଂପତ୍ତି ୪.୫୫ ବିଲିୟନ ଡଲାର ବୃଦ୍ଧି ଘଟିଛି।

କାହିଁକି ବଢି ଚାଲିଛି ଅଦାନୀଙ୍କ ସଂପତ୍ତି

ଗୌତମ ଅଦାନୀଙ୍କ ସଂପତ୍ତି ବଢୁଥିବାର କାରଣ କମ୍ପାନୀ ଦମଦାର ପ୍ରଦର୍ଶନ କରୁଛି। ଅଦାନୀଙ୍କ ମୋଟ୍ ସାତ କମ୍ପାନୀ ଅଦାନୀ ଗ୍ରୀନ, ଅଦାନୀ ପାଓ୍ଵାର, ଅଦାନୀ ଗ୍ୟାସ୍, ଅଦାନୀ ଓ୍ଵିଲମର, ଅଦାନୀ ପୋର୍ଟ, ଅଦାନୀ ଟ୍ରାନ୍ସମିସନ ଏବଂ ଅଦାନୀ ଇଣ୍ଟରପ୍ରାଇଜେ୍ ସେୟାର ବଜାରରେ ପଞ୍ଜିକୃତ ରହିଛି। ଏହି ସବୁ କମ୍ପାନୀର ଷ୍ଟକଠୁ ନେଇ ତ୍ରୈମାସିକ ପରିଣାମରେ ସକରାତ୍ମକ ସଙ୍କେତ ମିଳିଛି। ତେଣୁ ଅଦାନୀଙ୍କ ସଂପତ୍ତି ହୁ ହୁ ହୋଇ ବଢି ଚାଲିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମୁକେଶ ଅମ୍ବାନୀ ଶୀର୍ଷ ୧୦ କୋଟି ପତିଙ୍କ ତାଲିକାରୁ ବାହାରେ ଅଛନ୍ତି। ଅମ୍ବାନୀଙ୍କ ମୋଟ୍ ସଂପତ୍ତି ହେଉଛି ୯୪.୫ ବିଲିୟନ ଡଲାର। ସେ ବର୍ତ୍ତମାନ ଏକାଦଶ ସ୍ଥାନରେ ରହିଛନ୍ତି। ସେ ଏସିଆର ଦ୍ଵିତୀୟ ସବୁଠୁ ଧନୀ ବ୍ୟକ୍ତି। ଅମ୍ଵାନୀଙ୍କ ଆଗରେ ଗୌତମ ଅଦାନୀ ରହିଛନ୍ତି।

Get real time updates directly on you device, subscribe now.