fbpx

ଗୌତମ ଗମ୍ଭୀର ହେବେ ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ: BCCI ମାରିବ ଚୂଡ଼ାନ୍ତ ମୋହର!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ ପଦକୁ ନେଇ ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚା ଚାଲିଛି । ଭାରତୀୟ କ୍ରିକେଟ ଟିମର ନୂଆ ମୁଖ୍ୟ କୋଚ ପଦ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ନାମରେ ସର୍ବାଗ୍ରେ ରହିଛି । ଗମ୍ଭୀର ଏବେ ଆଇପିଏଲ ଟିମ୍ କୋଲକତା ନାଇଟ୍ ରାଇଡର୍ସ (କେକେଆର)ର ମେଣ୍ଟର ରହିଥିବାରୁ ସେ ମୁଖ୍ୟ କୋଚ ପଦ ପାଇଁ ଇଚ୍ଛୁକ ହୋଇ ନପାରନ୍ତି ବୋଲି କୁହାଯାଉଥିଲା । ମାତ୍ର ଗମ୍ଭୀର ଏହି ପଦ ପାଇଁ ଆବେଦନ କରିଥିବା କିଛି ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି ।

ମିଡ଼ିଆ ରିପୋର୍ଟ ମୁତାବକ, ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପଦ ପାଇଁ ବିସିସିଆଇ ସହିତ ଗମ୍ଭୀରଙ୍କର ଏକ ଡିଲ୍ ହୋଇ ସାରିଛି । ଏପରିକି ଏହି ପଦରେ ଆବେଦନ କରିବା ପୂର୍ବରୁ ଗମ୍ଭୀର କିଛି ସର୍ତ୍ତ ରଖିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଚଳିତ ସପ୍ତାହରେ କୋଲକତା ଆଇପିଏଲ ଟ୍ରଫି ଜିତିବା ପଛରେ ଗମ୍ଭୀର ବଡ଼ ଭୂମିକା ଥିବା କୁହାଯାଉଛି । ଏଥିସହିତ ସେ ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ଟିମର ଚାମ୍ପିୟନ ଖେଳାଳି ଅଟନ୍ତି । ଆଗାମୀ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡ଼ ମୁଖ୍ୟ କୋଚ ପଦ ଛାଡ଼ିବେ ।

ତେବେ ହେଡ୍ କୋଚ ପଦ ପାଇଁ ଅନ୍ତିମ ତାରିଖ ମେ ୨୭ ତାରିଖ ରହିଥିବା ବେଳେ ଏଥିପାଇଁ ଗମ୍ଭୀର ଔପଚାରିକ ଭାବେ ଆବେଦନ କରିଛନ୍ତି । ମାତ୍ର ଏନେଇ କିଛି ସ୍ପଷ୍ଟ କରିନାହାନ୍ତି । ଏଥିସହିତ ହେଡ୍ କୋଚକୁ ନେଇ ଗମ୍ଭୀରଙ୍କ ସହିତ ବିସିସିଆଇ ଡିଲ୍ କରିସାରିଛି । କେବଳ ଘୋଷଣା ବାକି ଅଛି ବୋଲି ବିସିସିଆଇର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଜଣେ ନିକଟ ସହଯୋଗୀ ଏକ ଆଇପିଏଲ ଫ୍ରାଞ୍ଚାଇଜର ମାଲିକ କହିଛନ୍ତି । ଏ ବାବଦରେ ବିସିସିଆଇ ସମ୍ପାଦକ ଜୟ ଶାହ ଗମ୍ଭୀରଙ୍କ ସହ ଆଲୋଚନା କରିସାରିଥିବା କୁହାଯାଉଛି । ଯଦି ଗମ୍ଭୀର ଟିମ୍ ଇଣ୍ଡିଆର ହେଡ୍ କୋଚ ଭାବେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ସେ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ୨୦୨୭ ମସିହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।

Get real time updates directly on you device, subscribe now.