fbpx
BSKY SKY
BSKY SKY

ଭାରତକୁ ଜି-୭ ବୈଠକରୁ ଦୂରେଇ ରଖିବାକୁ ବିଚାର କରୁଛି ଜର୍ମାନୀ, ରୁଷକୁ ବିରୋଧ କରୁନଥିବାରୁ ଖପ୍ପା

BSKY

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷ ବିରୋଧରେ ମୁହଁ ଖୋଲି ନାହିଁ ଭାରତ। ଭାରତର ଏତାଦୃଶ୍ୟକୁ ନେଇ ଖପ୍ପା ଜର୍ମାନୀ। ଭାରତକୁ ଜି-୭ ବୈଠକରୁ ଦୂରେଇ ରଖିବାକୁ ବିଚାର କରୁଛି ଜର୍ମାନୀ। ଏହି ଦେଶ ଜୁନ ୨୬ ରୁ ଜୁନ ୨୮ ପର‌୍ୟ୍ୟନ୍ତ ଜି-୭ ଦେଶର ବୈଠକ ଆୟୋଜନ କରୁଛି। ତେବେ ଏଥିରୁ ଭାରତକୁ କେମିତି ଦୂରେଇ ରଖାଯାଇ ପାରିବ ସେ ନେଇ ମସୁଧା ଚଳାଇଛି ଜର୍ମାନୀ। ବ୍ଲୁମର୍ଗ ରିପୋର୍ଟର ଏହା ଜଣା ପଡିଛି।

ସୂତ୍ର ମୁତାବକ ଜି-୭ ବୈଠକରେ ଜର୍ମାନୀ ସେନେଗଲ, ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡୋନେସିଆକୁ ଅତିଥି ଭାବେ ଆମନ୍ତ୍ରଣ କରିବାକୁ ବିଚାର କରୁଛି। ଏହି ଅତିଥି ତାଲିକା ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ମାତ୍ର ଏବେ ଏହି ତାଲିକାକୁ ନେଇ ପୁନର୍ବିଚାର କରାଯାଉଛି।

ଅନ୍ୟପଟେ କିଛି ମିଡିଆ ରିପୋର୍ଟ ଅନୁଯାୟୀ, ଜର୍ମାନୀ ସରକାର ଭାରତକୁ ନେଇ ଏମିତି କୌଣସି ବିଚାର କରୁ ନାହାନ୍ତି। ନିକଟରେ ମିଳିତ ଜାତିସଂଘରେ ରୁଷକୁ ମାନବାଧିକାର ପରିଷଦରୁ ବହିଷ୍କାର କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ଉପରେ ମତଦାନରୁ ଭାରତ ସମେତ ୫୦ ଦେଶ ବିରତ ରହିଥିଲେ। ଏହା ବ୍ୟତୀତ ଭାରତ ରୁଷ ଉପରେ କୌଣସି କଟକଣା ଲଗାଇ ନାହିଁ। ଓଲଟା ଭାରତ ରୁଷଠୁ ଶସ୍ତାରେ ବ୍ୟାପକ ପରିମାଣରେ ଅଶୋଧିତ ତେଲ କିଣିବା ଉପରେ ବିଚାର କରୁଛି। ଭାରତ ରୁଷଠୁ ବିପୁଳ ପରିମାଣର ଯୁଦ୍ଧାସ୍ତ୍ର ମଧ୍ୟ କିଣି ଆସିଛି।

ବ୍ଲୁମର୍ଗ ସହ ଆଲୋଚନା ବେଳେ ଜର୍ମାନ ସରକାରଙ୍କ ମୁଖପାତ୍ର ଷ୍ଟେଫେନ ହେବେଷ୍ଟ୍ରେଟ୍ କହିଛନ୍ତି, ଖୁବ୍ ଶୀଘ୍ର ଜି-୭ ଅତିଥି ତାଲିକା ଚୂଡାନ୍ତ କରାଯିବ। ଯେତେ ସମ୍ଭବ ରୁଷ ବିରୋଧରେ ଅନ୍ତର୍ଜାତୀୟ କଟକଣା ଲଗାଇବା ସପକ୍ଷରେ ଜର୍ମାନୀ ରହିଥିବା କହିଛନ୍ତି ସରକାରଙ୍କ ମୁଖପାତ୍ର। ତେବେ ଭାରତ ପକ୍ଷରୁ ଏହା ଉପରେ ଅଦ୍ୟାବଧି କୌଣସି ପ୍ରତିକ୍ରିୟା ଆସିନାହିଁ।

Get real time updates directly on you device, subscribe now.