fbpx

ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ: ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା’ ତାରିଣୀ ପୀଠକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ କ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଏହି ଅବସରରେ ଶ୍ରୀ ପାଣ୍ଡିଆନ ଘଟଗାଁ, ହରିଚନ୍ଦନପୁର, ହାଟଡିହି, ବାଂଶପାଳ, କେନ୍ଦୁଝରର ମ୍ୟୁନିସିପାଲିଟିର ବିଭିନ୍ନ ସ୍ଥାନର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଶ୍ରୀ ପାଣ୍ଡିଆନ ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳୀ ଗସ୍ତ କରିବା ସହିତ ଏନେଇ ମିଶନ ଶକ୍ତି ଏସଏଚଜି ସଦସ୍ୟ, କୃଷକ, ବୁଦ୍ଧିଜୀବୀଙ୍କ ଓ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଆଜି ପ୍ରଥମ ଦିନରେ ଶ୍ରୀ ପାଣ୍ଡିଆନ ଜିଲ୍ଲା ପୌରପାଳିକା ଅନ୍ତର୍ଗତ ସିଦ୍ଧମଠ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଦେବାଦେବୀଙ୍କ ଦର୍ଶନ କରିବା ସହିତ ଏହି ପୀଠ ନୂଆ ରୂପ ପାଇବ ବୋଲି କହିଥିଲେ । ଏହାପରେ ସେ ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା ପରିସର, ଫୁଟବଲ ପଡ଼ିଆ, କୁସ୍ତି ଗ୍ରାଉଣ୍ଡ, ଇଣ୍ଡୋର ଜିମ୍ ଆଦି ପରିଦର୍ଶନ କରିଥିଲେ । କ୍ୟାମ୍ପରେ ବୃକ୍ଷରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଶ୍ରୀ ପାଣ୍ଡିଆନ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଜନସାଧାରଣଙ୍କ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ନିଜର ଅତୀତର ସ୍ମୃତିକୁ ସାଉଁଟିଥିଲେ । କେନ୍ଦୁଝର ଜିଲ୍ଲାରେ ପ୍ରଥମେ ପୋଷ୍ଟିଂ ଓ ମା’ ତାରିଣୀଙ୍କ ପ୍ରଥମ ଦର୍ଶନ ବିଷୟରେ ବର୍ଣ୍ଣନା କରିଥିଲେ । ପୁରୀ ଶ୍ରୀମନ୍ଦିର, ତାରା ତାରିଣୀ ଓ ସମଲେଇ ପୀଠ ଭଳି ଘଟଗାଁରେ ମଧ୍ୟ ମା’ ତାରିଣୀଙ୍କ ପୀଠର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ ହେବ । ଗୁଣ୍ଡିଚାଘାଗି ଜଳପ୍ରପାତର ଉନ୍ନତିକରଣ କରାଯିବା ସହିତ ଆଗାମୀ ୫୦୦ ବର୍ଷକୁ ଆଖି ଆଗରେ ରଖି ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ସେ କହିଥିଲେ ।

ଶ୍ରୀ ପାଣ୍ଡିଆନ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କୁସୁମଯୋଡ଼ି ଯାଇ ସ୍ଥାନୀୟ ମହିଳା କୃଷକ ବଜାର ପରିଦର୍ଶନ କରିଥିଲେ। କୃଷି ଉତ୍ପାଦନ କ୍ଲଷ୍ଟର(ଏପିସି) କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ମହିଳା ଚାଷୀମାନେ ଲାଭାନ୍ୱିତ ହୋଇପାରିଛନ୍ତି ସେସବୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ । ସବୁବେଳେ ସେମାନଙ୍କ ସହଯୋଗ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ଆଶ୍ଵାସନା ଦେଇଥିଲେ। ଏହାପରେ ସେ ବଘାମୁଣ୍ଡା ସ୍ଥିତ ଟସର ସିଲ୍କ ପାର୍କ ଅଭିମୂଖେ ବାହାରିଥିଲେ। ସେଠାରେ ସେ ମହିଳାମାନେ କିଭଳି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଟସର ସିଲ୍କରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି, ସେ ସବୁ ଦେଖିଥିଲେ। ଶ୍ରୀ ପାଣ୍ଡିଆନ ସେଣ୍ଟରଟିର କାର୍ଯ୍ୟପ୍ରଣାଳୀ ଉପରେ ପଚାରି ବୁଝିବା ସହ ପ୍ରସ୍ତୁତ ଦେଉଥିବା ସମସ୍ତ ଦ୍ରବ୍ୟର ବ୍ରାଣ୍ଡିଂ ଓ ମାର୍କେଟିଂ ଲାଗି ରାଜ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି କହିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ସିତାବିଞ୍ଜି ମନ୍ଦିରର ବିକାଶ କାମ ମଧ୍ୟ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ ।

Get real time updates directly on you device, subscribe now.