fbpx

ୟୁପି ନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଆଜାଦ ଓ ପାଇଲଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ କଂଗ୍ରେସ ଆଜି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏଥିରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନାଁ ନାହିଁ। ତେବେ ପଞ୍ଜାବର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଥିବା ଗୁଲାମ ନବୀ ଆଜାଦଙ୍କୁ ୟୁପିରେ ପ୍ରଚାର କରିବାକୁ କଂଗ୍ରେସ କହିଛି। ସେହିପରି ୩୦ ଜଣିଆ ତାଲିକାରେ ସଚିନ ପାଇଲଟଙ୍କ ନାଁ ରହିଛି। ଏହାପୂର୍ବରୁ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା। ହେଲେ ଏଥିରେ ସଚିନ ପାଇଲଟ, ମନୀଷ ତିୱାରୀ ଓ ଗୁଲାମ ନବୀ ଆଜାଦଙ୍କ ନାଁ ନଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ନିର୍ବାଚନ ପୂର୍ବରୁ କଂଗ୍ରେସରେ ଏପରି କନ୍ଦଳ ଦଳ ପାଇଁ କଣ୍ଟା ଭାବେ ଉଭା ହୋଇଥିଲା।

ଏଥିରେ ତାଳି ପକାଇବାକୁ ଆଜି ଗୁଲାମ ନବୀ ଓ ସଚିନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଥିବା କୁହାଯାଇଛି। ହେଲେ ପଞ୍ଜାବ ସାଂସଦ ତଥା ବରିଷ୍ଠ ନେତା ମନୀଷ ତିୱାରୀ ଏଯାଏ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇ ନାହାନ୍ତି। ଏଥିପାଇଁ ସେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଜାରି ହୋଇଥିବା ୩୦ ଜଣିଆ ତାଲିକାରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ପିଏଲ ପୁନିଆଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ ରହିଛି। ଏମାନେ ସମସ୍ତେ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ୟ୍ୟାୟ ୟୁପି ନିର୍ବାଚନ ପାଇଁ ପ୍ରଚାର କରିବେ। ଏମାନଙ୍କ ବ୍ୟତୀତ ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଦୀପୀନ୍ଦର ସିଂହ ହୁଡ୍ଡା, ମହମ୍ମଦ ଆଝାରୁଦ୍ଦିନ, ନସୀମୁଦ୍ଦିନ ସିଦ୍ଦିକି ଓ ହାର୍ଦ୍ଦିକ ପଟେଲଙ୍କ ନାଁ ରହିଛି।

Get real time updates directly on you device, subscribe now.