ନୂଆଦିଲ୍ଲୀ: ଭାରତକୁ ଏକ କୃଷିପ୍ରଧାନ ଦେଶ ବୋଲି କୁହାଯାଏ । ତେଣୁ କୃଷିକ୍ଷେତ୍ରରେ ଆହୁରି ବିକାଶ ପାଇଁ କେନ୍ଦ୍ର ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । କୃଷକଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିସାନ ଫସଲ ବୀମା ଯୋଜନା ଇତ୍ୟାଦି ସାମିଲ ରହିଛି । ଏହି ଯୋଜନା ପରେ ବେ ଦେଶର ପ୍ରାୟ ୧୨ କୋଟି କୃଷକଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । କୃଷକମାନଙ୍କୁ ଲୋନ୍ ଯୋଗାଇବା ଏବଂ ସ୍ୱରୋଜଗାର କରିବାରେ ସହାୟକ ହେବା ପାଇଁ ରିଜର୍ଭ ବ୍ୟାଙ୍କ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଆସନ୍ତାବର୍ଷ ଜାନୁୟାରୀ କୃଷକମାନଙ୍କ ପାଇଁ ୧ ତାରିଖରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି କୃଷକଙ୍କ ପାଇଁ ବିନା ଗାରେଣ୍ଟିରେ ଲୋନ ସୀମା ବୃଦ୍ଧି କରାଇଛନ୍ତି ରିଜର୍ଭ ବ୍ୟାଙ୍କ । ନୂଆବର୍ଷରୁ ଦେଶର କୃଷକମାନେ ବ୍ୟାଙ୍କରୁ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଲୋନ୍ ନେଇପାରିବେ । ଏହାପୂର୍ବରୁ କୃଷକଙ୍କ ପାଇଁ ଲୋନ୍ ସୀମା ୧.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଏହି ଆମାଉଣ୍ଟକୁ ୪୦,୦୦୦ ଟଙ୍କା ବୃଦ୍ଧି କରାଯାଇଛି । ଜମିର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି କିଛି କୃଷକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଏହି ନୂଆ ନିୟମ ଅନୁସାରେ, ଦେଶର ବିଭିନ୍ନ ବ୍ୟାଙ୍କରୁ ୨ ଲଊକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଏବଂ ଏ ସମ୍ବନ୍ଧୀୟ ଲୋନ୍ ପାଇଁ ଅନୁମତି ମିଳିଛି । ଏହାସହିତ ଏହି ଲୋନରୁ ଉଧାରକର୍ତ୍ତାଙ୍କୁ ବନ୍ଧକ ତଥା ମାର୍ଜିନ ଛାଡ଼ କରିବାକୁ କୁହାଯାଇଛି । କୃଷି ମନ୍ତ୍ରାଳୟ ଅନୁସାରେ, ଏହି ନିଷ୍ପତ୍ତି କିୃଷକଙ୍କ ପାଇଁ ଲୋନ ଆଣିବାରେ ସୁବିଧା ସୁଯୋଗ ଆଣିପାରିବ । ତେବେ ବିଶେଷ କରି ଛୋଟ ଏବଂ ସୀମାନ୍ତ ଭୂମିଧାରକ ୮୬ %ରୁ ଅଧିକ କୃଷକଙ୍କୁ ସୁବିଧା ମିଳିପାରିବ । ଏହି ନିୟମକୁ ଲାଗୁ କରିବା ପାଇଁ ଯଥାଶୀଘ୍ର କୃଷକଙ୍କୁ ସଚେତନ କରାଇବାକୁ ଆଦେଶ ଦିଆଯାଇଛି ।