fbpx

ଚୀନ୍ ଭାରତର ବିକାଶ ଚାହୁଁଛି, ପଶ୍ଚିମ ଦେଶଗୁଡିକ ଭାରତ ଓ ଚୀନ୍ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି

Advertisement

ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ଚକିତ ହୋଇପଡିବେ ନିଶ୍ଚୟ । କାରଣ ଚୀନ୍ ମୁହଁରେ ଭାରତର ପ୍ରଶଂସା କୌଣସି ବି ଭାରତୀୟଙ୍କ ଲାଗି ସହଜରେ ଗ୍ରହଣୀୟ ହୋଇପାରିବ ନାହିଁ । କିନ୍ତୁ ଚୀନ୍ର ପ୍ରମୁଖ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ଏପରି କିଛି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ସମ୍ବାଦପତ୍ର ଲେଖିଛି ଭାରତର ନୂଆ ସଂସଦ ଭବନ ବିଔପନିବେଶିକରଣର ମହାନ୍ ପ୍ରତୀକ । ଏହି ସମ୍ବାଦପତ୍ର ଆହୁରି ଲେଖିଛି ଯେ, ଚୀନ୍ ଭାରତର ବିକାଶ ଚାହୁଁଛି । ପଶ୍ଚିମ ଦେଶଗୁଡିକ ନିଜ ନିଜର ଫାଇଦା ଲାଗି ଭାରତ ଓ ଚୀନ୍ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ଏବଂ ଚୀନ୍ ବନ୍ଧୁତ୍ୱ ଦୃଷ୍ଟିକୋଣରୁ ଭାରତକୁ ଏ ଦିଗରେ ସତର୍କ କରାଇ ଦେଉଛି ।

ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ବୋଲାଉଥିବା ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମ୍ସ ଭାରତର ନୂଆ ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛି । ଏହା ସହ ଚୀନ୍ କହିଛି ଭାରତ ଔପନିବେଶକ କାଳର ସମସ୍ତ ସଂକେତ ନଷ୍ଟ କରିଦେବାକୁ ପ୍ରୟାସ ଆରମ୍ଭ କରିଛି । ନିଜର ଏକ ସମ୍ପାଦକୀୟରେ ଗ୍ଲୋବାଲ୍ ଟାଇମ୍ସ ଲେଖିଛି ଚୀନ୍ ଭାରତର ଗାରିମା ବଜାୟ ରଖିବାକୁ ଓ ଏହାର ସ୍ୱତନ୍ତ୍ରତାକୁ କାଏମ ରଖିବା ଲାଗି ଯେଉଁ ପ୍ରଚେଷ୍ଟା କରାଯାଇଛି ତାହାକୁ ସମ୍ମାନ କରୁଛି ଓ ଚୀନ୍ ଚାହୁଁଛି ଭାରତ ବିକାଶ ପଥରେ ଅଗ୍ରସର ହେଉ ।
ଗ୍ଲୋବାଲ୍ ଟାଇମ୍ସ ଲେଖିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି । ଅନ୍ୟପକ୍ଷରେ ବ୍ରିଟିଶ ଔପନିବେଶିକ କାଳର ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ନିର୍ମାଣ ହୋଇଥôବା ପୁରୁଣା ସଂସଦ ଭବନ ସଂଗ୍ରହାଳୟରେ ପରିବର୍ତ୍ତିତ ହେବ । ନୂଆ ସଂସଦ ଭବନ ମୋଦୀ ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ମୁଖ୍ୟ ଅଂଶ ବୋଲି କୁହାଯାଉଛି । ଏହାର ଉଦ୍ଦେଶ୍ୟ ଭାରତର ରାଜଧାନୀକୁ ଗୋଲାମୀର ସମସ୍ତ ସଂକେତରୁ ମୁକ୍ତ କରିବା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁୁ ଉଦ୍ଧାର କରି ସମ୍ବାଦପତ୍ର ଲେଖିଛି ନୂଆ ସଂସଦ ଭବନ କେବଳ ଏକ କୋଠା ନୁହେଁ ବରଂ ଏହା ଆତ୍ମ ନିର୍ଭର ଭାରତର ସାକ୍ଷୀ ପାଲଟିବ । ନୂଆ ସାଂସଦ ଭବନର ବିଶେଷତ୍ୱକୁ ଗୁରୁତ୍ୱ ଦେଇ ସମ୍ବାଦପତ୍ର ଲେଖିଛି, ଏହି ନୂଆ ସଂସଦ ଭବନ କୋଠାର ମୂଲ୍ୟ ପ୍ରାୟତଃ ୧୨ କୋଟି ଡଲାର ହେବ ଓ ଏଥିରେ ମୟୂର, ପଦ୍ମଫୁଲ ଓ ବରଗଛ ପରି ରାଷ୍ଟ୍ରୀୟ ପ୍ରତୀକ ରହିଛି । ଏହି ସମସ୍ତ ପ୍ରତୀକ ଭାରତର ମଜଭୁତ ଇତିହାସ ଓ ସଂସ୍କୃତିକୁ ଦର୍ଶାଇଥାଏ । ଏହା ଭାରତ ସରକାରଙ୍କ ବିଔପନିବେଶୀକରଣ ଲାଗି କରାଯାଉଥିବା ଏକ ଉପାୟ ମଧ୍ୟରୁ ଅନ୍ୟତମ । ସମ୍ବାଦପତ୍ର ଆହୁରି ଲେଖିଛି ଗତ କିଛି ବର୍ଷ ମଧ୍ୟରେ ଭାରତର ବିକଶିତ ଚିତ୍ର ସ।।ରା ଦୁନିଆରେ ଉପସ୍ଥାପନ କରିବା ଲାଗି ବହୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଛି । ଭାରତର ଏହି ଛବି ବିଔପନିବେଶିକରଣକୁ ପ୍ରୋତ୍ସାହନ ଦେବା ସହିତ ସ୍ୱତନ୍ତ୍ରତା ଉପରେ ଜୋର ଦେଉଛି । ଏହା ପୂର୍ବରୁ ଭାରତ ଉପନିବେଶ ସମୟରେ ପ୍ରଚଳିତ ଥିବା ବଜେଟ୍ ପ୍ରଥାରେ ମଧ୍ୟ ପରିବର୍ତ୍ତନ ଆଣିଛି । ଏହା ସହିତ ଇଂରାଜୀର ଅଧିକାରୀକ ଉପଯୋଗକୁ କମ୍ କରିବା ସହିତ ହିନ୍ଦୀ ଭାଷାର ଉପଯୋଗକୁ ବୃଦ୍ଧି କରିଛି । ସେହିପରି ୧୯୬୮ରେ ଭାରତ ଇଣ୍ଡିଆ ଗେଟ୍ ସାମ୍ନରେ ଥିବା କିଙ୍ଗ ଜର୍ଜ ପଞ୍ଚମଙ୍କ ମୂର୍ତ୍ତିକୁ ହଟାଇ ଦେଇଥିଲା । ୮ ସେପ୍ଟେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆ ଗେଟ୍ ସାମ୍ନା ରାଜପଥର ନାମ ବଦଳାଇ କର୍ତ୍ତବ୍ୟ ପଥ କରି ଦେଇଥିଲେ ।

ଚୀନ୍ କାମନା କରୁଛି ଭାରତ ଏହାର ବିକାଶ ଲକ୍ଷ୍ୟରେ ଆଗକୁ ବଢୁ । କିନ୍ତୁ ଆମେରିକା ହାଥି-ଡ୍ରାଗନ୍-ଶତ୍ରୁତା’କୁ ନେଇ ମନଗଢା କାହାଣୀ ତିଆରି କରି ଚୀନ୍ ଓ ଭାରତ ମଧ୍ୟରେ ବିବାଦ ସୃଷ୍ଟି କରୁଛି । ଆମେରିକା ପାଖରେ ଏବେ ଶକ୍ତି ନାହିଁ ଯେ ସେ ଭାରତ ଓ ଚୀନକୁ ନିଜ ଅଧୀନକୁ ନେଇପାରିବ । ଅନ୍ୟପକ୍ଷରେ ସେ ନିଜ ଫାଇଦା ଲାଗି ଦୁଇ ଦେଶ ମଧ୍ୟରେ ଶତ୍ରୁତା ସୃଷ୍ଟି କରୁଛିି ।

Get real time updates directly on you device, subscribe now.