fbpx

ସୁନା ଅଳଙ୍କାର ସଫେଇ ଆଳରେ ଠକାମିର ଶୀକାର ହେଲେ ମହିଳା , ସୁନ ଖାସୁ ମାଳିକୁ ଚତୁରତାର ସହ ବଦଳାଇ ଚମ୍ପଟ୍ ମାରିଥିଲେ, ୩ ଛତିଶଗଡ଼ ମହିଳାଙ୍କୁ ବାନ୍ଧିଲା ପୁଲିସ

ବେଲଗୁଣ୍ଠା (ଓଡ଼ିଶା ଭାସ୍କର) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ ଜଣେ ମହିଳାଙ୍କୁ ସୁନା ଅଳଙ୍କାର ସଫା କରିବା ଆଳରେ ଚତୁରତାର ସହ ଅସଲି ସୁନା ଅଳଙ୍କାର ବଦଳରେ ନକଲି ସୁନାଅଳଙ୍କାର ହାତରେ ଧରାଇ ଦେଇ ଚମ୍ପଟ ମାରିଥିବା ତିନି ଛତିଶଗଡ଼ ମହିଳାଙ୍କୁ ବେଲଗୁଙଋା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ବେଲଗୁଣ୍ଠା ନିକଟସ୍ଥ ଆମ୍ବପୁଆ ଗ୍ରାମରେ ଗତ ଗୁରୁବାର ଦିନ କିଛି ଛତିଶଗଡ଼ ମହିଳା ଚୁଡ଼ି ବିକ୍ରି କରିବା ସହ ସୁନା ଅଳଙ୍କାର ସଫା କରବା ପାଇଁ ଗାଁରେ ବୁଲୁଥିଲେ । ଦିନ ପ୍ରାୟ ୧୧ଟା ବେଳେ ସେମାନେ ଆମ୍ବପୁଆ ଗ୍ରାମର ବିପ୍ର ସ୍ୱାଇଁଙ୍କ ଘର ନିକଟରେ ପହଞ୍ଚିଥିଲେ । ବିପ୍ରଙ୍କ ସ୍ତ୍ରୀ ଅପୂର୍ବାଙ୍କୁ ଚୁଡ଼ି ବିକ୍ରି କରିବା ପରେ ମାତ୍ର ୫୦ଟଙ୍କା ବଦଳରେ ସୁନା ଅଳଙ୍କାର ଗୁଡିକୁ ସେମାନେ କ୍ଷଣକ ମଧ୍ୟରେ ସଫା କରିଦେବେ ବୋଲି ବିପ୍ରଙ୍କ ପତ୍ନୀ ଅପୂର୍ବାଙ୍କୁ କହିଥିଲେ । ଅପୂର୍ବା ମହିଳାଙ୍କ କଥାରେ ବିଶ୍ୱାସ କରି ନିଜର ୨୦ଗ୍ରାମ ଓଜନର ସୁନା ଖାସୁ ମାଳି ସଫା ପାଇଁ ଛତିଶଗଡ଼ ମହିଳାଙ୍କୁ ଦେଇଥିଲେ । ଅପୂର୍ବାଙ୍କ ସାମ୍ନାରେ ସେମାନେ ସୁନାକୁ ସଫା କରିବା ଆରମ୍ଭ କରିଥିଲେ । ତେବେ ଅପୂର୍ବାଙ୍କ ଅଲକ୍ଷ୍ୟରେ ଛତିଶଗଡ଼ ମହିଳାମାନେ ଅସଲି ସୁନା ଖାସୁ ମାଳିଟିକୁ ଚତୁରତାର ସହ ବଦଳାଇ ଠିକ ଅପୂର୍ବାଙ୍କୁ ଅସଲି ଖାସୁ ମାଳିଭଳି ଦେଖାଯାଉଥିବା ଅନ୍ୟ ଏକ ନକଲି ଖାସୁ ମାଳି ଦେଇ ସେଠାରୁ ଚମ୍ପଟ ମାରିଥିଲେ ।

ଅପୂର୍ବା କିଛି ସମୟ ପରେ ଖାସୁ ମାଲିଟିକୁ ଘର ଲୋକଙ୍କୁ ଦେଖାଇ ଥିଲେ । ଘର ଲୋକଙ୍କର ଖାସୁ ମାଲିଟିକୁ ଦେଖି ସନ୍ଦେହ ହୋଇଥିଲା । ସେମାନେ ଛତିଶଗଡ଼ ମହିଳାମାନେ ଦେଇଥିବା ଖାସୁ ମାଲିଟିକୁ ଯାଞ୍ଚ କରିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ଏଥିନେଇ ବ୍ରି ସ୍ୱାଇଁ ବେଲଗୁଙଋା ଥାନାରେ ଅଭିଯୋଗ କରିବା ପରେ ବେଲଗୁଙଋା ପୋଲିସ ୧୩୭/ ୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତେବେ ବେଲଗୁଙଋା ପୋଲିସ ଶୁକ୍ରବାର ଦିନ ସମ୍ପୃକ୍ତ ଛତିଶଗଡ଼ ମହିଳାମାନେ ଥାନା ଅଞ୍ଚଳରେ ବୁଲୁଥିବା ଖବର ପାଇବା ପରେ ସେଠାରୁ ସେମାନଙ୍କୁ ଉଠାଇନେଇଥିଲା ।

ପୋଲିସ ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ବିପ୍ର ସ୍ୱାଇଁଙ୍କ ପତ୍ନୀ ଅପୂର୍ବାଙ୍କ ଅସଲି ୨୦ଗ୍ରାମ ଓଜନର ସୁନା ଖାସୁ ମାଳିକୁ ଜବତ କରିଥିଲା । ପରେ ଠକେଇ ଅଭିଯୋଗରେ ବେଲଗୁଣ୍ଠା ପୋଲିସ ଛତିଶଗଡ଼ ବଳରାମପୁର ଜିଲ୍ଲାର ରାଜପୁର ନିକଟ ଦେଉଠି ଗ୍ରାମର ଦୁର୍ବତୀ ବାଇଗିରି(୪୫), ଗୌରୀ ବାଇଗିରି(୩୫) ଓ ସୁଲୋଚନା ଗିରି(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଲଗୁଙଋା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।ଛତିଶଗଡ଼ ମହିଳାଙ୍କ ସୁନା ଅଳଙ୍କାର ସଫେଇ ଆଳରେ ଏଭଳି ଅଭିନବ ଉପାୟରେ ଠକେଇ କରୁଥିବା ଘଟଣାକୁ ନେଇ ବେଲଗୁଣ୍ଠା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଶେଷତଃ ମହିଳାମାନେ ଏଭଳି ଠକେଇ ପ୍ରତି ସତର୍କ ରହିବାକୁ ବେଲଗୁଣ୍ଠାଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.