fbpx

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କଲେ କେନ୍ଦ୍ର ସରକାର: କରୋନା ସ୍ଥିତି ଅନୁଧ୍ୟାନ ପରେ ଲକ୍‌ଡାଉନ୍‌ କଟକଣା କୋହଳ କର, ୫ ସୂତ୍ରୀ ମନ୍ତ୍ର ଉପରେ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର ଦିନକୁ ଦିନ କମ୍‌ ହେଉଥିବାରୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରୁଛନ୍ତି ବିଭିନ୍ନ ରାଜ୍ୟ । ହେଲେ ଏହି ଅନଲକ୍‌ ପ୍ରକ୍ରିୟାକୁ ନେଇ ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭଲ୍ଳା ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ମହାମାରୀ କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଥିଲା । ଏହାକୁ ଆଖି ଆଗରେ ରଖି ଏବଂ କରୋନା ସଂକ୍ରମଣକୁ ରୋକିବାକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଲକ୍‌ଡାଉନ୍‌ ଲାଗୁ କରିଥିଲେ । ଏବେ ସଂକ୍ରମଣ ମାତ୍ରା କମିଥିବାରୁ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଛନ୍ତି ।ଲକ୍‌ଡାଉନ୍‌ କଟକଣା କୋହଳ କରିବା ପୂର୍ବରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ପ୍ରକୃତ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଅନ୍ତୁ ବୋଲି ଶ୍ରୀ ଭଲ୍ଲା ଏହି ଚିଠିରେ ଦର୍ଶାଇଛନ୍ତି ।

 

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ବେଶ ସତର୍କତାର ସହ ଅନ୍‌ଲକ୍‌ ପ୍ରକ୍ରିୟା ସମ୍ପର୍କରେ ନିଷ୍ପତ୍ତି ନେବା ଉଚିତ ବୋଲି ସେ ଚେତାଇ ଦେଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ସେ ୫ ସୂତ୍ରୀ ମନ୍ତ୍ର ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜାରି ନିୟମକୁ ପାଳନ କରିବା, ଟେଷ୍ଟ, ଟ୍ରାକ୍‌, ଟ୍ରିଟମେଣ୍ଟ ଏବଂ ଟିକାକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିବ । ଟିକାକରଣ କାର୍ଯ୍ୟକ୍ରମକୁ ଜୋର୍‌ଦାର୍‌ କରିବାକୁ ପଡ଼ିବ । ଅଧିକରୁ ଅଧିକ ଲୋକ ଯେମିତି ଶୀଘ୍ର ଟିକା ନେଇପାରିବେ ସେ ସମ୍ପର୍କରେ ବିଚାର କରନ୍ତୁ ।ଏଦିଗରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ପଦକ୍ଷେପ ନିଅନ୍ତୁ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।

ଏହା ସହ ମାସ୍କ ପରିଧାନ, ହାତ ଧୋଇବା, ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରାଯିବା ଜରୁରି ବୋଲି ସେ ଦର୍ଶାଇବା ସହ ରୁଦ୍ଧ କୋଠରୀ ଗୁଡ଼ିକରେ ଉପଯୁକ୍ତ ଭେଣ୍ଟିଲେସନ୍‌ ବ୍ୟବସ୍ଥା କରାଯିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । କରୋନା କଟକଣା ଉଲ୍ଲଂଘନ କ୍ଷେତ୍ରରେ କଠୋର ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ଭଲ୍ଲା ଦର୍ଶାଇଛନ୍ତି । ସେହିପରି କରୋନା ଟେଷ୍ଟିଂ ରେଟ୍‌ ଆଦୌ କମ୍‌ ନକରିବାକୁ ଶ୍ରୀ ଭଲ୍ଲା ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି । ଲକ୍‌ଡାଉନ୍‌ କୋହଳ ହେବାକୁ ଥିବା ଅଞ୍ଚଳର କରୋନା ସ୍ଥିତିକୁ ଭଲଭାବେ ପରଖାଯାଉ । ଯଦି ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣର ମାତ୍ରା ବୃଦ୍ଧି ପାଏ ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ଅନୁସାରେ ସ୍ଥାନୀୟ ଅଧିକାରୀ ସମ୍ପୃକ୍ତ ଅଞ୍ଚଳକୁ ଲୋକାଲ୍‌ କଣ୍ଟେନ୍‌ମେଣ୍ଟ କରିାରିବେ ବୋଲି ସେ ଚିଠିରେ ଦର୍ଶାଇଛନ୍ତି । ତେଣୁ ଏଦିଗରେ ଜିଲ୍ଲା ଏବଂ ଅନ୍ୟ ସମସ୍ତ ସମ୍ବନ୍ଧିତ ଅଥରିଟିଙ୍କୁ ରାଜ୍ୟ ସରକାରମାନଙ୍କୁ ଚିଠି କରାଯାଇ ଅବଗତ କରାଯାଉ ବୋଲି ଶ୍ରୀ ଭଲ୍ଲା ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଶ୍ରୀ ଭଲ୍ଲା ପଠାଇଥିବା ଅନ୍ୟ ଏକ ଚିଠିରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି କଠିନ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଜରୁରି ବୋଲି ଶ୍ରୀ ଭଲ୍ଲା ଏହି ଚିଠିରେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.