fbpx

ଭାରତୀୟ ଆଥଲେଟ୍‌ଙ୍କ ପ୍ରତି ଜାପାନ ସରକାରଙ୍କ କଡ଼ା କଟକଣା: ଦେଶ ଛାଡିବାର ସପ୍ତାହ ପୂର୍ବରୁ ପ୍ରତିଦିନ କୋଭିଡ ପରୀକ୍ଷା ବାଧ୍ୟତାମୂଳକ, ୩ଦିନ ପର୍ଯ୍ୟନ୍ତ ଅନ୍ୟ ବିଦେଶୀ ଆଥ୍‌ଲେଟ୍‌ଙ୍କ ସହିତ କଥାବାର୍ତ୍ତା ମନା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ -ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଆଥଲେଟଙ୍କ ପ୍ରତି ଜାପାନ ସରକାର କଡା କଟକଣା ଜାରି କରିଛନ୍ତି । ଭାରତରେ କରୋନା ପ୍ରଭାବ ଅଧିକ ରହିଥିବା ଦୃଷ୍ଟିରୁ ଜାପାନ ସରକାର କହିଛନ୍ତି ଯେ ଭାରତୀୟ ଆଥଲେଟ୍‌ ଟୋକିଓରେ ପହଞ୍ଚିବାର ତିନିଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର ଆଥଲେଟ୍‌ କିମ୍ବା କର୍ମକର୍ତ୍ତାଙ୍କ ସହ କଥାବର୍ତ୍ତା କରି ପାରିବେ ନାହିଁ ।ସେହିପରି ଟୋକିଓ ଅଭିମୁଖେ ଯାତ୍ରା କରିବାର ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ଆଥଲେଟଙ୍କର ପ୍ରତିଦିନ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ।

ତେବେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ (ଆଇଓଏ)ସଭାପତି ନରିନ୍ଦର ବାତ୍ରା ଓ ସେକ୍ରେଟାରୀ ଜେନେରାଲ ରାଜିବ ମେହଟା କହିଛନ୍ତି ଯେ ଜାପାନ ସରକାରଙ୍କ ଏହି ନୂଆ ଗାଇଡ ଲାଇନ୍‌ ଭାରତୀୟ ଆଥ୍‌ଲେଟଙ୍କ ପ୍ରତି ଘୋର ଅନ୍ୟାୟ ଓ ପକ୍ଷପାତିତା ବୋଲି ଆମେ ଅନୁଭବ କରୁଛୁ । କାରଣ ଭାରତରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏକଦା ସମୟ ଥିଲା ଦୈନିକ ୪ ଲକ୍ଷ ନୂଆ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ୬୦ ହଜାରକୁ ଖସି ଆସିଲାଣି । ଅନ୍ୟ ପକ୍ଷରେ ଅନେକ ଆଥଲେଟ୍‌ ବାହାର ଦେଶରେ ତାଲିମ ନେଉଛନ୍ତି । ସେମାନେ ସେଠାରୁ ସିଧା ସଳଖ ଟୋକିଓ ଅଭିମୁଖେ ଯାତ୍ରା କରିବେ । ଗସ୍ତର ସାତ ଦିନ ପୂର୍ବରୁ ସମସ୍ତ ଆଥଲେଟଙ୍କୁ ଏକତ୍ରିତ କରି ପ୍ରତିଦିନ ପରୀକ୍ଷା କରିବା ଅସମ୍ଭବ । ଦ୍ୱିତୀୟତଃ ସେଠାରେ ପହଞ୍ଚିବାର ତିନି ଦିନ ପର୍ଯ୍ୟନ୍ତ ଅନ୍ୟ ଦେଶ ଆଥ୍‌ଲେଟ୍‌ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ମିଳାମିଶା କରିବା ଉପରେ କଟକଣା ଲାଗୁ କରିବା ଫଳରେ ଆଥଲେଟ୍‌ମାନେ ବଡ ସମସ୍ୟାରେ ପଡିବେ । ଟୋକିଓରେ ପହଞ୍ଚିବାର ତିନି ଦିନ ପର୍ଯ୍ୟନ୍ତ ଏପରି କଟକଣା ଲାଗିଲେ ଆଥଲେଟଙ୍କର ଦିନ ତମାମ ଖାଇବା ପିଇବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବ ।

ସେହି ସମୟରେ ଅନ୍ୟ ସମସ୍ତ ଦେଶର ଆଥଲେଟ୍‌ ଉପସ୍ଥିତ ଥିବା ବେଳେ କ୍ରୀଡା ଭିଲେଜରେ ଭାରତୀୟ ଆଥଲେଟ୍‌ ଅଛୁଆଁ ପରି ଅଲଗା ରହିବା ଅତି କଷ୍ଟଦାୟକ ହୋଇ ପଡିବ । ସବୁଠାରୁ ବଡ ସମସ୍ୟା ହେଲା ଯେ ବିଭିନ୍ନ ଆଥଲେଟଙ୍କ ପାଇଁ ଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକ । ତେଣୁ ଅଲିମ୍ପିକ କ୍ରୀଡା ଆରମ୍ଭ ହେବାର ପାଞ୍ଚ ଦିନ ପୂର୍ବରୁ ଯଦି ଆଥଲେଟଙ୍କର ଚଳପ୍ରଚଳ ଓ ଖାଇବା ପିଇବା ଉପରେ ଏପରି କଟକଣା ଲାଗିବ, ତେବେ ସେମାନଙ୍କର ପ୍ରଦର୍ଶନରେ ନିଶ୍ଚିତ ବାଧା ସୃଷ୍ଟି ହେବ । ଦ୍ୱିତୀୟତଃ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସମସ୍ତ ଆଥଲେଟଙ୍କୁ ଆଗୁଆ ଟିକା ଦିଆ ଯାଇଛି ।

ଏହା ସହିତ ନିୟମିତ କରୋନା ପରୀକ୍ଷା ବ୍ୟବସ୍ଥା କରା ଯାଇଛି । ଟୋକିଓ ଯିବା ପୂର୍ବରୁ ସବୁ ଆଥଲେଟଙ୍କର ବାରମ୍ବାର ପରୀକ୍ଷା କରାଯିବ । ତେଣୁ ଏହା ସତ୍ତେ୍ୱ ପୁଣି ସେଠାରେ ଭାରତୀୟ ଆଥଲେଟଙ୍କ ପ୍ରତି କଠୋର କଟକଣା ଲାଗୁ କରିବା ଅତ୍ୟନ୍ତ ଦୁଃଖ ଦାୟକ ଓ କ୍ଷୋଭର ବିଷୟ ବୋଲି ଆଇଓଏ କହିଛି । ତେଣୁ ଏହା ଉପରେ ସାନି ବିଚାର କରିବା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ସାଂଗଠନିକ କମିଟି ନିକଟକୁ ଚିଠି ଲେଖା ଯାଇଛି । ସୂଚନାଯୋଗ୍ୟ ଯେ ଭାରତ ସମେତ ଆଫଗାନିସ୍ତାନ ,ନେପାଳ ଓ ଶ୍ରୀଲଙ୍କା ସମେତ କେତେକ ନିର୍ଦ୍ଦିଷ୍ଟ ଦେଶ ଆଥ୍‌ଲେଟ୍‌ଙ୍କ ଉପରେ କରୋନା କାରଣ ନେଇ କଡା କଟକଣା ଜାରି କରାଯାଇଛି ।

Get real time updates directly on you device, subscribe now.