(video) ସୁନା ଦରରେ ନିଆଁ, ସବୁ ରେକର୍ଡ ଭାଙ୍ଗିଲା ଦର, ଲକ୍ଷେ ଟଙ୍କା ଛୁଇଁପାରେ ସୁନା !

ସୁନା କିଣିବାକୁ ଲାଗିଲାଣି ଡ଼ର। ତିନି ଦିନ ଭିତରେ ୧୧୦୦ ଟଙ୍କା ବୃଦ୍ଧି। ଏପରି ମନେ ହେଉଛି ଆଉ କେଇ ଦିନ ଭିତରେ ଲକ୍ଷେ ପାର କରିବ ସୁନା ଦର।

ଭୁବନେଶ୍ୱର: ଆଉ ଛୁଇଁ ହେବନି ସୁନା। ଲକ୍ଷେ ଟଙ୍କା ପାଖାପାଖି ହେଲାଣି ସୁନା ଦର। ସୁନା ପ୍ରତି ଗ୍ରାହକଙ୍କ ଚାହିଦା ଯେତେ ବଢ଼ୁଛି ସୁନା ଦର ମଧ୍ୟ ହୁ ହୁ ହୋଇ ସେତେ ବଢି ଚାଲିଛି। ଗତକାଲି ସୁନା ଦର ଯେତିକି ଥିଲା ୨୪ ଘଣ୍ଟା ମଧ୍ୟରେ ୬୦୦ ଟଙ୍କା ବୃଦ୍ଧି ପାଇଛି।

ହଁ ଦିଲ୍ଲୀରୁ ପଲ୍ଲୀ ଯେଉଁଠି ଦେଖିବେ ସୁନା ଦରରେ ନିଆଁ ଲାଗିଛି। ଦିନକୁ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା ଦର। ସେ ଦିଲ୍ଲୀ ହେଉକି ଭୁବନେଶ୍ୱର ସବୁଠି ସୁନା ଦର ଆକାଶ ଛୁଆଁ। ସୁନା କିଣିବା ତ ଦୂରର କଥା ଛୁଇଁବାକୁ ବି ଡ଼ର ଲାଗୁଛି।

ସୁନା ଦରରେ ନିଆଁ: ସବୁ ରେକର୍ଡ ଭାଙ୍ଗିଲା ସୁନା ଦର। ଗତକାଲି ଭୁବନେଶ୍ୱରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି ଏହା ୫୫୦ରୁ ୬୦୦ ଟଙ୍କା ଭଳି ବୃଦ୍ଧି ଘଟିଛି।

ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୮,୫୮୦ ଟଙ୍କା‌ରେ ପହଞ୍ଚିଥିବା ବେଳେ ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୧, ୨୦୦ ଟଙ୍କା ରହିଛି। ଗତ ଦୁଇ ଦିନରେ ପ୍ରାୟ ୧୧୦୦ ଟଙ୍କା ବଢ଼ିଲାଣି ସୁନା ଦର। ତେଣୁ ଏବେ ସୁନା କିଣିବାକୁ ଡରିଲେଣି ସାଧାରଣ ଲୋକ। ଯିଏ ଝିଅ ବାହାଘର କରୁଛି ତା ମୁଣ୍ଡରେ ତ ଚଡକ ପଡିଲାଣି। କେତେ ସୁନା କିଣିବ ଆଉ ଝିଅକୁ ବାହାଦେବ।

ସୁନା କିଣିବାକୁ ଲାଗିଲାଣି ଡର: ହଁ ଏବେ ସୁନା କିଣିବାକୁ ଡର ଲାଗିଲାଣି। ଯେଉଁଭଳି ଭାବରେ ଦିନକୁ ଦିନ ଦର ବୃଦ୍ଧି ପାଉଛି ସୁନା ନାଁ ଧରିଲେ ଛାତିରେ ଛନକା ପଶିଯାଉଛି। ସେପଟେ ସୁନା ଦର ଯେତେ ବଢୁଛି, ଲୋକଙ୍କ ଆବଶ୍ୟକତା ମଧ୍ୟ ସେତେ ବଢୁଛି। ତେଣୁ ବାଧ୍ୟ ହୋଇ ଏହି ଚଢା ଦରରେ ସୁନା କିଣୁଛନ୍ତି ଗ୍ରାହକ।

ଯଦି ଦେଖିବା ଗତ ତିନି ଦିନ ହେବ ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର। ଚଳିତ ମାସର ବିଗତ ୧୩ ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ୨.୨୭ ପ୍ରତିଶତ ବୃଦ୍ଧି ଘଟିଛି। ଦରରେ ଏଭଳି ବୃଦ୍ଧି ଜାରି ରହିଲେ ସୁନା ଦର ଶୀଘ୍ର ୧ ଲକ୍ଷ ଟଙ୍କା ଛୁଇଁବ ବୋଲି କୁହାଯାଉଛି।

ତେବେ କେବଳ ସୁନା ନୁହେଁ, ରୂପା ଦର ମଧ୍ୟ ବିଗତ ଦିନ ମାନଙ୍କରେ ବଢିବାରେ ଲାଗିଛି। ଗୁରୁବାର କିଲୋଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ଟଙ୍କାରେ ପହଞ୍ଚିଛି ରୂପା ଦର। ଗତ ଦୁଇଦିନ ମଧ୍ୟରେ ରୁପା ଦର କିଲୋଗ୍ରାମ୍‌ ପିଛା ୩ ହଜାର ଟଙ୍କା ବୃଦ୍ଧି ଘଟିଛି।