PM ଆବାସ ଯୋଜନାକୁ ନେଇ ଖୁସି ଖବର: ୬ ଲକ୍ଷ ଘରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସହରରେ ଗରିବ ତଥା ମଧ୍ୟମ ବର୍ଗର ଲୋକମାନଙ୍କୁ ଖୁସିର ଖବର ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଉପଲବ୍ଧ କରାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଦେଇଛନ୍ତି ଗ୍ରୀନ ସିଗନାଲ । ପିଏମ ଆବାସ ଯୋଜନାରେ ୬ ଲକ୍ଷରୁ ଅଧିକ ଘର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ସହରରେ ଆସନ୍ତା ୫ ବର୍ଷରେ ୧ କୋଟି ଘର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ଲୋକଙ୍କୁ ଘର ଯେଗାଇ ଦିଆଯିବ ।

ଏହି ଯୋଜନା କାର୍ୟ୍ୟକାରୀ ପାଇଁ ପ୍ରାୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ସମସ୍ତ ରାଜ୍ୟରୁ ଗୃହ ପ୍ରସ୍ତାବ ଗ୍ରହଣ କରାଯାଇଛି। ରାଜ୍ୟରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆସନ୍ତା ବର୍ଷ ଆରମ୍ଭରୁ ଆରମ୍ଭ ହେବ। ଡିମାଣ୍ଡ ସର୍ଭେ ଏବଂ ପ୍ରମାଣପତ୍ର ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ଯୋଜନା ରହିଛି । ଏହାସହିତ ମାର୍ଚ୍ଚ ସୁଦ୍ଧା ଆଫୋର୍ଡେବଲ ହାଉସିଙ୍ଗ ପଲିସି ପ୍ରସ୍ତୁତ କରାଯିବ । ପିଏମ ଆବାସ ଯୋଜନା ପାଇଁ ହୋଇଥିବା ଏମଓୟୁ ଚୁକ୍ତି ସ୍ୱାକ୍ଷରରେ ଏହି ସର୍ତ୍ତ ରଖାଯାଇଛି ।

ଏଥର ୬ ଲକ୍ଷ ଘର ନିର୍ମାଣ ସହିତ ଭଡ଼ାଟିଆ ମଡେଲର ଆଫୋର୍ଡେବଲ ରେଣ୍ଟାଲ ହାଉସିଙ୍ଗ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଏଥିରେ ଘର କିଣିବାକୁ ଚାହୁଁନଥିବା ଆର୍ଥିକ ରୂପରେ ଦୁର୍ବଳ ତଥା କମ୍ ଆୟ ବର୍ଗର ଲୋକମାନଙ୍କୁ ଭଡ଼ାରେ ଆବାସ ଉପଲବ୍ଧ କରି ଦିଆଯିବ । ତେବେ କାର୍ଯ୍ୟରତ ମହିଳାମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି ।

ଆଫୋର୍ଡେବଲ ରେଣ୍ଟାଲ ହାଉସିଙ୍ଗର ୨ଟି ମଡେଲ ରହିଛି:

  • ପିପିପି ଆଧାରରେ ଭଡ଼ା ପାଇଁ ବିଦ୍ୟମାନ ଥିବା ସରକାରୀ କୋଠାଗୁଡିକ ପ୍ରସ୍ତୁତ କରିବା ।
  • ଘରୋଇ ତଥା ସରକାରୀ ଉଦ୍ୟୋଗକୁ ଭଡ଼ା ଘର ନିର୍ମାଣ, ପରିଚାଳନା ଏବଂ ତଦାରଖ ପାଇଁ ପ୍ରୋତ୍ସାହନ ଦେବା ।

ଏଥିପାଇଁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆଯିବ । ବିଶେଷ କରି ଶିଳ୍ପ ଶ୍ରମିକ ଏବଂ କାର୍ଯ୍ୟରତ ମହିଳାଙ୍କ ପାଇଁ ଏହି ମଡେଲ ପ୍ରସ୍ତୁତ କରାଯାଇଛି ।