fbpx

ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ବ୍ୟାନ ଲଗାଇଲେ ସରକାର, ଜାଣନ୍ତୁ କେଉଁ ଜିନିଷ ବ୍ୟବହାର ଉପରେ ରହିବ ରୋକ, କେବେଠାରୁ ହେବ ଲାଗୁ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ସାମଗ୍ରୀ ଉପରେ ଜୁଲାଇ ୨୦୨୨ ଠାରୁ ରୋକ୍ ଲଗାଯିବା ନେଇ ବିଜ୍ଞପ୍ତି ଜାରି କରଛନ୍ତି । ଦେଶରେ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଏହି ବଡ଼ ନିଷ୍ପତ୍ତି ନେବା ସହ୨୦୨୨ ଜୁଲାଇ ୧ ଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀକୁ କିଣିବା, ବିକିବା, ତିଆରି କରିବା ଉପରେ ରୋକ୍ ଲଗାଇବା ଆଦେଶ ଜାରି କରିଛନ୍ତି । ଏହାଛଡ଼ା ସରକାର ପଲିଥିନ ବ୍ୟାଗର ଘନତ୍ୱ ୫୦ ମାଇକ୍ରୋନରୁ ବଢ଼ାଇ ୧୨୦ ମାଇକ୍ରୋନ କରିଛନ୍ତି । ଅବଶ୍ୟ ଘନତ୍ୱ ସମ୍ବନ୍ଧିତ ନିୟମ ୩୦ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ଏହାକୁ ଦୁଇଟି ଚରଣରେ ଲାଗୁ କରାଯିବ । ବର୍ତ୍ତମାନ ଦେଶରେ ୫୦ ମାଇକ୍ରୋନରୁ କମ୍ ପଲିଥିନ ବ୍ୟାଗ୍ ଉପରେ ବ୍ୟାନ ରହିଛି ।

ପରିବେଶ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନୂଆ ନିୟମ ଅନୁଯାୟୀ ୧ ଜୁଲାଇ ୨୦୨୨ ଠାରୁ ପଲିଷ୍ଟାଇନିନ୍ ଏବଂ ଏକ୍ସପେଣ୍ଡେଡ ପଲିଷ୍ଟାଇନିନ୍ ସହ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ରପ୍ତାନୀ, ବିକ୍ରି ଏବଂ ସଂରକ୍ଷଣ ଉପରେ ପ୍ରତିବନ୍ଧ ଲଗାଯିବ । ମନ୍ତ୍ରାଳୟର କହିବା ଅନୁଯାୟୀ ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବାକୁ ପ୍ରତିବଦ୍ଧ । ଏହା ଦେଶରେ ପ୍ରଦୂଷଣର ଏକ ବଡ଼ ଉତ୍ସ । ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଅନୁଯାୟୀ ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଏହାଛଡ଼ା ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାରକୁ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସରକାର ଚଳାଇଛନ୍ତି ।

ସରକାରଙ୍କ ତରଫରୁ ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟରେ ପ୍ଲାଷ୍ଟିକ ଷ୍ଟିକ୍, ବେଲୁନ୍ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଷ୍ଟିକ୍, ପତାକା ଏବଂ ଚକୋଲେଟ୍ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟିକ୍, ଆଇସକ୍ରିମ ଷ୍ଟିକ୍, ସାଜସଜା ପାଇଁ ବ୍ୟବହାର ହେଉଥିବା ଥର୍ମୋକୋଲ ଆଦି ସାମିଲ ରହିଛି । ଏହା ସହ ପ୍ଲେଟ୍, କପ୍, ଗ୍ଲାସ୍, ପ୍ଲାଷ୍ଟିକ୍ ଚାମଚ, ଛୁରି, ଟ୍ରେ, ମିଠା ବାକ୍ସ ଏବଂ ସିଗାରେଟ ପ୍ୟାକେଟ୍ ଉପରେ ଗୁଡ଼ାଯାଉଥିବା ପ୍ଲାଷ୍ଟିକ୍ ଏବଂ ୧୦୦ ମାଇକ୍ରୋନରୁ କମ୍ ପିଭିସି ବ୍ୟାନର ସାମିଲ ରହିଛି । ଆଉ ଏହି ସବୁ ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଯିବ ।

Get real time updates directly on you device, subscribe now.