fbpx

ସେକ୍ସ ୱର୍କରଙ୍କର ଶୀଘ୍ର କରାଯାଉ ଭୋଟ, ଆଧାର କାର୍ଡ; ରାସନର ମଧ୍ୟ ବ୍ୟବସ୍ଥା ତୁରନ୍ତ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ବୃତ୍ତି ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଥାଏ। ଏହା ସହିତ ଅଦାଲତ ପକ୍ଷରୁ କେନ୍ଦ୍ର, ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ସେକ୍ସ ୱର୍କର୍ସ ମାନଙ୍କ ଭୋଟ ପରିଚୟ ପତ୍ର, ଆଧାର ଏବଂ ରାସନ କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏନଜିଓ ‘ଦରବାର ମହିଳା ସମନ୍ୱୟ କମିଟି’ର ଆବେଦନ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନରେ କୋଭିଡ -୧୯ ମହାମାରୀ ହେତୁ ଯୌନ କର୍ମୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗକୁ ଉଠାଯାଇଥିଲା ।

କୋର୍ଟ ମଧ୍ୟ ଯୌନକର୍ମୀଙ୍କ ଫାଇଦା ପାଇଁ ଆଦେଶ ଜାରି କରି ଆସୁଛି ଓ ଗତବର୍ଷ ଡିସେମ୍ବର ୨୯ ତାରିଖରେ କେନ୍ଦ୍ର ଓ ଅନ୍ୟମାନଙ୍କୁ ଯୌନକର୍ମୀଙ୍କ ଠାରୁ ପରିଚୟ ପତ୍ର ନନେଇ ସେମାନଙ୍କ ପାଇଁ ରାସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ୍ ଏଲ୍. ନାଗେଶ୍ୱର ରାଓ, ଜଷ୍ଟିସ୍ ବି. ଆର, ଗୱଇ ଏହି ମାମଲାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଯୌନ କର୍ମୀଙ୍କୁ ରାସନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ୨୦୧୧ ମସିହାରେ ଜାରି କରାଯାଇଥିଲା ହେଲେ ତାହା ଲାଗୁ ହେବା ବାକି ରହିଛି ।

ପୀଠ କେନ୍ଦ୍ର ତଥା ରାଜ୍ୟ ସରକାର ମାନଙ୍କ ଉପରେ କ୍ଷୁବ୍ଧ ହୋଇ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପାଖାପାଖି ଏକ ଦଶକ ପୂର୍ବରୁ ରାସନ କାର୍ଡ ଏବଂ ପରିଚୟ ପତ୍ର ଜାରି କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ କାହିଁକି ଲାଗୁ ହୋଇନାହିଁ ତାର କୌଣସି କାରଣ ଦିଆଯାଉନାହିଁ । ଏହାପରେ କୋର୍ଟ କହିଥିଲେ ଯେ, ଦେଶର ପ୍ରତ୍ୟେକ ନାଗରିକଙ୍କ ବୃତ୍ତି ନିର୍ବିଶେଷରେ ମୌଳିକ ଅଧିକାର ରହିଛି । ସମସ୍ତ ନାଗରିକଙ୍କୁ ସମାନ ପ୍ରକାର ସୁବିଧା ଯୋଗାଇବା ପାଇଁ କର୍ତ୍ତବ୍ୟବଦ୍ଧ । ତେଣୁ ଯୌନ କର୍ମୀଙ୍କ ପାଇଁ ତୁରନ୍ତ ରାସନ କାର୍ଡ, ଭୋଟ ପରିଚୟ ପତ୍ର ଏବଂ ଆଧାର କାର୍ଡ କରାଯାଉ ।

Get real time updates directly on you device, subscribe now.