fbpx

ଅସାଧୁ ବ୍ୟବସାୟୀଙ୍କୁ କଡା ଚେତାବନୀ ଦେଲେ ସରକାର, ଚଢାଦରରେ ବିକିଲେ ମିଳିବ ଦଣ୍ଡ

ଭୁବନେଶ୍ୱର: ପନିପରିବା ଠାରୁ ଆରମ୍ଭ କରି ଡାଲି, ତେଲ,ଆଳୁ, ପିଆଜ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଦରଦାମ ଆବଶ୍ୟକତାରୁ ଚଢା ଦରରେ ବିକ୍ରି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପରିସ୍ଥିତିର ସମାଧାନ ଲାଗି ରାଜ୍ୟ ସରକାରଙ୍କ କିଛିଟା ପଦକ୍ଷେପ ନେଇଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଦକ୍ଷେପ ନେଇଛନ୍ତି।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଶନିବାର ଦିନ ବିଭାଗୀୟ ଅଧିକାରୀମାନଙ୍କୁ ଡାକି ଦରଦାମ ସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟର ଜନସାଧାରଣ କିପରି ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗର ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ବୈଠକ ପରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଖାଉଟି ସାମଗ୍ରୀଗୁଡ଼ିକର ଦରବୃଦ୍ଧି କେବଳ ଓଡିଶାରେ ଦେଖିବାକୁ ମିଳୁନାହିଁ, ଏହି ସମସ୍ୟା ସାରା ଭାରତରେ ଦେଖାଦେଇଛି । ତେବେ ଏହାର ସୁଯୋଗ ରାଜ୍ୟର ଅସାଧୁ ବ୍ୟବସାୟୀମାନେ ନ ଉଠାନ୍ତୁ ବୋଲି ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅଧୀକାରୀ ଦରଦାମ ଯାଞ୍ଚ ଲାଗି ଭୁବନେଶ୍ଵର, କଟକ, ରାଉରକେଲା, ସମ୍ବଲପୁର ଓ ପୁରୀ ଆଦି ଅଞ୍ଚଳରେ କଡାକଡ଼ି ଭାବେ ଯାଞ୍ଚ କରୁଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ସ୍ଥିତି ଉପରେ ନଜର ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ବୁଦ୍ଧିଜୀବିଙ୍କ ମତରେ, କୃଷିଜାତ ଓ ଖାଦ୍ୟ ସାମଗ୍ରୀ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ରହୁଥିବାରୁ, ସେଗୁଡ଼ିକୁ ଲୋକମାନେ ଅଧିକ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଆଳୁ, ପିଆଜଠାରୁ ଆରମ୍ଭ କରି ମାଛ, ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀ ଅନ୍ୟ ରାଜ୍ୟରୁ ଆଣି ରାଜ୍ୟରେ ବିକ୍ରି କରିବାକୁ ପଡୁଛି, ଏଭଳି ପରିସ୍ଥିତିରେ ରାଜ୍ୟରେ ଖାଲିପଡୁ ପଡ଼ୁଥିବା ଜମିରେ କିପରି ଚାଷ ହେବ ଏବଂ ଜମିକୁ କିପରି ଅଧିକରୁ ଅଧିକ ଜଳସେଚନ ସୁବିଧା ଯୋଗାଯିବ ତା’ ଉପରେ ରାଜ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।

Get real time updates directly on you device, subscribe now.