ଏଣିକି ରାସନକାର୍ଡରେ ମିଳିବ ଗହମ, ଆଉ ରହିବନି ଅଟା ଟେନସନ୍

ଦୂର ହେବ ଗହମ ଚିନ୍ତା । ଲୋକଙ୍କୁ ଗହମ ଦେବେ ସରକାର ।

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ରାସନକାର୍ଡ ମାଧ୍ୟମରେ ଗହମ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଲୋକଙ୍କୁ ଗହମ ବାଣ୍ଟିବା ନେଇ କରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ସରକାର ଦେବେ: ପଟାଙ୍ଗି କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମଙ୍କର ଏ ପ୍ରଶ୍ନ ଥିଲା । ସେ ଜାଣିବାକୁ ଚାହୁଁଥିଲେ, ପୂର୍ବ ସରକାର ସମୟରେ ଗରିବ, ଖଟିଖିଆ ଓ ରୋଗାଗ୍ରସ୍ତମାନଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ବଣ୍ଟନ ବନ୍ଦ କରିଥିଲେ । ବର୍ତ୍ତମାନର ସରକାର ପୁଣିଥରେ ରାସନ କାର୍ଡରେ ଗହମ ଯୋଗାଣ ପାଇଁ ବ୍ୟବସ୍ଥା କରିବେକି? ଯଦି ସରକାର ଏହାକୁ ଆରମ୍ଭ କରିବେ ତେବେ କେବେଠାରୁ ବୋଲି ଥିଲା ତାଙ୍କ ପ୍ରଶ୍ନ ।

ଖୁବଶୀଘ୍ର ମିଳିବ: ଉତ୍ତରରେ ମନ୍ତ୍ରୀ କହିଥିଲେ, ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ଖାଉଟିମାନଙ୍କୁ ସମ୍ପୂର୍ଣ୍ଣ ଚାଉଳ ଯୋଗାଇ ଦେବା ଲାଗି ଆବଣ୍ଟନ ପତ୍ର ଜାରି କରିଛନ୍ତି । ରାଜ୍ୟ ସରକରା ଗହମ ଉଠାଣ ପାଇଁ ସମସ୍ତ ଜିଲ୍ଲାରେ ପରିବହନ ବ୍ୟବସ୍ଥା ସ୍ଥିରିକୃତ ହେବା ପରେ ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ସରକାରଙ୍କଠାରୁ ପରିବର୍ତ୍ତିତ ଆବଣ୍ଟନ ପତ୍ର ମିଳିବା ପରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷ୍ଣ ପାତ୍ର ।