fbpx

ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଭାରତ ସରକାର କରିବେ ୨୨୩୦ କୋଟିର ଋଣ; ଚୁକ୍ତି ସାଇନ କଲା ଏଡିବି ବ୍ୟାଙ୍କ

ନୂଆଦିଲ୍ଳୀ: ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୨୨୩୦ କୋଟି ଟଙ୍କା ଋଣ କରିବେ ଭାରତ ସରକାର । ଏନେଇ ଭାରତ ସରକାର ଓ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ମଧ୍ୟରେ ୩୦୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୨୩୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୧୩ଟି ରାଜ୍ୟର ପ୍ରାୟ ୨୫.୬ କୋଟି ଲୋକ ଏହା ଦ୍ୱାରା ଉପକୃତ ହେବେ । ଏହା ସହିତ ବସ୍ତି ଅଞ୍ଚଳରେ ବସବାସ କରୁଥିବା ୫.୧ କୋଟି ଲୋକ ଏହା ଦ୍ୱାରା ଉପକୃତ ହେବେ । କରୋନା ପରି ମହାମାରୀ ପରଠାରୁ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ସହକାରୀ ସଚିବ ରଜତ କୁମାର ମିଶ୍ର । ଏଡିବି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶକ ଟାକେଓ କୋନିଶି ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ ।

ସ୍ୱାସ୍ଥ୍ୟ ସେବାକୁ ଭାରତ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ପରି ସେବା ଆରମ୍ଭ କରାଯାଇଛି । ଏପରି ପରସ୍ଥିତିରେ ଏହାକୁ ଅଧିକ ପରିବ୍ୟାପ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ରଜତ କୁମାର ମିଶ୍ର । ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ ୨୦୧୮ରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଥିଲା । ପରବର୍ତ୍ତୀ ସମୟରେ କୋଭିଡକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୦୨୧ରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ସାମିଲ କରାଗଲା । ଭବିଷ୍ୟତରେ କୌଣସି ମହାମାରୀ ଆସିଲେ ଏହାର ଦୃଢ ମୁକାବିଲା କରିବା ପାଇଁ ଏହି ଯୋଜନା ସବୁ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।

କୋଭିଡ ଆକ୍ରାନ୍ତ ହୋଇନଥିବା ରୋଗୀଙ୍କୁ ସାଧାରଣ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ବହୁତ ବଢିଆ ବୋଲି କହିଛନ୍ତି କୋନିସି । ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ, ଗୁଜରାଟ, ହରିଆଣାଳ ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲ ନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ପରି ରାଜ୍ୟ ଏହି ଯୋଜନାରୁ ବେଶ ଲାଭବାନ ହୋଇପାରିବେ । ଶିଶୁ ଜନ୍ମ ଏବଂ ଅନ୍ୟାନ୍ୟ ସାଧାରଣ ସ୍ୱାସ୍ଥ୍ୟ ସେବା ସମ୍ବଳିତ ତଥ୍ୟକୁ ଡିଜିଟାଲ କରାଯିବ । ଏଥିପାଇଁ ବିଭିନ୍ନ ଘରୋଇ କ୍ଷେତ୍ରରୁ ସହାୟତା ନିଆଯିବ ବୋଲି ଜଣାପଡିଛି । ଏହି ବୈଷୟିକ ପ୍ରକଳ୍ପ ପାଇଁ ୨ ମିଲିୟନ ଡଲାରର ସହାୟତା ପାଇଁ ଆଗଭର ହୋଇଛି ଏଡିବିର ଜାପାନ ଶାଖା । ସମୁଦାୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଆମେ ଆଗଭର ବୋଲି କହିଛନ୍ତି ନିର୍ଦ୍ଦେଶକ ଟାକେଓ କୋନିଶି ।

Get real time updates directly on you device, subscribe now.