fbpx

ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ: ଏବେ ଟାଟା ପ୍ଲେ ରେ ଦେଖିପାରିବେ ୯୦୦ ଚ୍ୟାନେଲ

ନୂଆଦିଲ୍ଲୀ: ‘ମେକ୍ ଇନ୍ ଇଣ୍ଡିଆ’ ଭିଜନ ସହ ଯୋଡ଼ି ହୋଇଥିବା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଟାଟା ପ୍ଲେ ସହିତ ଭାଗିଦାରୀ ସ୍ଥାପନ କରି ଜୁନ୍ ୨୦୨୨ରେ ଜିସାଟ୍-୨୪ ଉପଗ୍ରହ ଉତକ୍ଷେପଣ କରିଥିଲା। ଟାଟା ପ୍ଲେ ଆଜିଠାରୁ ଏହାର କକ୍ଷପଥରେ ଥିବା ଏହି ଉପଗ୍ରହର ବ୍ୟବହାର ଆରମ୍ଭ କରିଛି। ନୂଆଦିଲ୍ଲୀସ୍ଥିତ ଟାଟା ପ୍ଲେର ବ୍ରଡକାଷ୍ଟ ସେଣ୍ଟରରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଖୁସି ବ୍ୟକ୍ତ କରିବା ସହ ଜିସାଟ୍-୨୪କୁ ସଫଳତାର ସହ କାର୍ଯ୍ୟକ୍ଷମ କରିଥିବାରୁ ମହାକାଶ ବିଭାଗ ଓ ଟାଟା ପ୍ଲେକୁ ଅଭିନନ୍ଦନ ଜଣାଇଛନ୍ତି।

ମହାକାଶ ଓ ଯୋଗାଯୋଗ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚନ୍ଦ୍ର କହିଥିଲେ। ବର୍ତ୍ତମାନ ଟାଟା ପ୍ଲେରେ ୬୦୦ ଚ୍ୟାନେଲ ରହିଛି। ଇସ୍ରୋ ଉପଗ୍ରହକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଏହା ୯୦୦ ଚ୍ୟାନେଲ ପ୍ରସାରଣ କରିବାରେ ସକ୍ଷମ ହେବ ଯାହା ସାଧାରଣ ଜନତାଙ୍କୁ ଉପକୃତ କରିବ । ଟାଟା ପ୍ଲେ ସହଯୋଗରେ ପ୍ରଥମ ଥର ପାଇଁ ଚାହିଦା ଭିତ୍ତିକ ଉପଗ୍ରହ ଉତକ୍ଷେପଣ କରିଛି । ପାର୍ବତ୍ୟାଞ୍ଚଳ ଉତ୍ତର-ପୂର୍ବ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସମେତ ସମଗ୍ର ଦେଶରେ ଏହି ଚ୍ୟାନେଲ୍ ଉପଲବ୍ଧ ହେବ ବୋଲି ସଚିବ କହିଛନ୍ତି।

ଜିସାଟ୍ -୨୪କୁ ଅନ୍ତର୍ଭୁକ୍ତ କରିବା ପରେ ବ୍ୟାଣ୍ଡ ୱିଡଥ୍ ବୃଦ୍ଧି ପାଇବ । ଯାହାଫଳରେ ଟାଟା ପ୍ଲେକୁ ଏହାର ଉପଭୋକ୍ତାମାନଙ୍କୁ ଆହୁରି ଉନ୍ନତମାନର ଚିତ୍ର ଏବଂ ଶବ୍ଦ ଗୁଣବତ୍ତା ପ୍ରଦାନ କରିବାରେ ସକ୍ଷମ କରିବ । ସମସ୍ତ ଡିଟିଏଚ୍ ପ୍ଲାଟଫର୍ମ ମଧ୍ୟରେ ସର୍ବବୃହତ ଉପଗ୍ରହ ବ୍ୟାଣ୍ଡୱିଥ୍ ପ୍ରଦାନକାରୀ ହେବା ସହିତ ୫୦ ପ୍ରତିଶତ ଅଧିକ ଚ୍ୟାନେଲ ବହନ କରିବାର କ୍ଷମତା ପ୍ରଦାନ କରିବ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଶ୍ରୀ ଏସ୍. ସୋମନାଥ କହିଛନ୍ତି, ଡିଟିଏଚ୍ ସେବା ଯୋଗାଇବା ପାଇଁ ଇସ୍ରୋ ଦ୍ୱାରା ନିର୍ମିତ ୪ ଟନ୍ ବିଶିଷ୍ଟ ଯୋଗାଯୋଗ ଉପଗ୍ରହ ଜିସାଟ୍-୨୪ କକ୍ଷପଥରେ ପରୀକ୍ଷଣ ପରେ ଏହାର ସର୍ବାଧିକ ଉପଗ୍ରହ କ୍ଷମତାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହା ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଯାହାକି ଭାରତର ଟେଲିଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଉଛି । ଏହା ଆମ ଦେଶର ମହାକାଶ କ୍ଷମତାକୁ ଦର୍ଶାଇବା ସହିତ ଚାହିଦା ପରିଚାଳିତ ଅଭିଯାନ ବର୍ଗରେ ଭାରତର ସଫଳ ପ୍ରବେଶକୁ ଆରମ୍ଭ କରିଛି ।

ଏନ୍ ଏସ୍ ଆଇଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ରାଧାକ୍ରିଷ୍ଣନ୍ ଦୁରାଇରାଜ କହିଛନ୍ତି, ମହାକାଶ କ୍ଷେତ୍ରରେ ସଂସ୍କାର ପରେ ଏନ୍ଏସ୍ଆଇଏଲ୍ ଦ୍ୱାରା ଆରମ୍ଭ ହୋଇଥିବା ଜିସାଟ୍-୨୪ ହେଉଛି ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ଅଭିଯାନ। ଜିସାଟ୍ -୨୪ ଉପଗ୍ରହ ଭାରତ ପାଇଁ ଉପଗ୍ରହ ଟେଲିଭିଜନର ଏକ ନୂତନ ଯୁଗ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି । ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ସଫଳତାର ପ୍ରମାଣ ସ୍ୱରୂପ, ଏହି ଉପଗ୍ରହ ଉନ୍ନତ ଡିଜିଟାଲ ଟିଭି ପ୍ରସାରଣ କ୍ଷମତା ସହିତ ଘରୋଇ ପ୍ରସାରଣ ସେବାକୁ ସମର୍ଥନ କରିବ । ଏହି ସଫଳ ପ୍ରକଳ୍ପରେ ସହଯୋଗ କରିଥିବାରୁ ଏନଏସଆଇଏଲ, ଇସ୍ରୋ ଏବଂ ଟାଟା ପ୍ଲେର ଟିମକୁ ଅଭିନନ୍ଦନ।

Get real time updates directly on you device, subscribe now.