କ’ଣ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ? ଜିଏସଟି ପରିଷଦ ବୈଠକରେ ଆଜି ହୋଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଜି ଲଖନଉରେ ବସ୍ତୁ ଓ ସେବା କର(ଜିଏସଟି) ପରିଷଦର ବୈଠକ ପୂର୍ବାହ୍ନ ୧୧ଟାରୁ ଜାରି ରହିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସବୁଠୁ ବଡ ପ୍ରସଙ୍ଗ ହେଉଛି ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ କି ନାହିଁ । ଏହା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଯଦି ଇନ୍ଧନ ଜିଏସଟି ପରିସରଭୁକ୍ତ ହୋଇଯାଏ ତେବେ ପେଟ୍ରୋଲ ୨୮ ଟଙ୍କା ଏବଂ ଡିଜେଲ୍ ୨୫ ଟଙ୍କା ଶସ୍ତା ହୋଇପାରେ । ଏବେ ଦେଶର ଅନେକ ସହରରେ ପେଟ୍ରୋଲ ୧୧୦ ଏବଂ ଡିଜେଲ୍ ଲିଟର ପିଛା ୧୦୦ ଟଙ୍କା ରହିଛି ।

ଏଥିସହ ଅନେକ ସାମଗ୍ରୀ ଉପରେ ଜିଏସଟିର ସମୀକ୍ଷା କରାଯାଇପାରେ । ଏଥିରେ ଅନଲାଇନ୍ ଫୁଡ ଡେଲିଭରି ସାମିଲ । କୁହାଯାଉଛି ଅନଲାଇନ ଫୁଡ୍ ଡେଲିଭରି ଉପରେ ଜିଏସଟି ବୃଦ୍ଧି କରାଯାଇପାରେ । ଏମିତି ହେଲେ ଅନଲାଇନ ଖାଦ୍ୟ ମଗାଇବା ମହଙ୍ଗା ହୋଇଯିବ ।

କଣ କହୁଛନ୍ତି ବିଶେଷଜ୍ଞ

କରଦାତାଙ୍କ କହିବା କଥା କରୋନା କାରଣରୁ ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟିରେ ସାମିଲ୍ କରାଇବା କେନ୍ଦ୍ର ସରକାରଙ୍କ ପାଇଁ ବହୁତ ମୁସ୍କିଲ ନିଷ୍ପତ୍ତି ହେବ । ପେଟ୍ରୋଲିୟମ ପଦାର୍ଥ, ମାଦକ ଏବଂ ଇଲେକ୍ଟ୍ରୋନିକ୍ସ ପରି ସାମଗ୍ରୀ ଜିଏସଟିରେ ସାମିଲ ହୋଇ ନାହିଁ । କାରଣ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିପୁଳ ପରିମାଣରେ ରାଜସ୍ୱ ମିଳୁଛି । ରାଜସ୍ୱ ସଂଗ୍ରହରେ ପେଟ୍ରୋଲ-ଡିଜେଲ୍ ଏକ ବଡ ଉତ୍ସ ପାଲଟି ଯାଇଛି । ଜିଏସଟି ପରିଷଦ ବୈଠକରେ ପେଟ୍ରୋଲ, ଡିଜେଲ୍ ଏବଂ ଅନ୍ୟ ପେଟ୍ରୋଲିୟ ଉତ୍ପାଦକୁ ଜିଏସଟି ପରିସରଭୁକ୍ତ କରାଯିବା ଉପରେ ବିଚାର ହୋଇପାରେ ।

ଯଦି ପେଟ୍ରୋଲିୟମ ଜିଏସଟିରେ ସାମିଲ୍ ହୋଇଯାଏ ତେବେ କେନ୍ଦ୍ର ଓ ରାଜ୍ୟର ଟ୍ୟାକ୍ସ ଏକତ୍ର ହୋଇଯିବ ଏବଂ ସମଗ୍ର ଦେଶରେ ପେଟ୍ରୋଲ-ଡିଜେଲ୍ ଦର ସମାନ ହୋଇଯିବ । ଏମିତି ହେଲେ ପେଟ୍ରୋଲ-ଡିଜେଲ୍ ଦାମ ଶସ୍ତା ହୋଇପାରେ । ଗତ କିଛି ବର୍ଷରେ ପେଟ୍ରୋଲ-ଡିଜେଲ୍ ଦାମ ଅହେତୁକ ବୃଦ୍ଧି ଘଟିଛି । ଏଥିରେ ସାଧାରଣ ଜନତା ବହୁତ କଲବଲ ମଧ୍ୟ ହେଲେଣି । ଏବେ ଜିଏସଟି ପରିଷଦ ବୈଠକ ଉପରେ ସଭିଙ୍କ ନଜର ।

Get real time updates directly on you device, subscribe now.

Comments
Loading...