fbpx

ଗୁଜରାଟ କ୍ୟାବିନେଟ୍ ବିସ୍ତାର: ନୂତନ ସରକାରରେ ରୂପାନୀଙ୍କ ଟିମ୍ ବାହାର, ବିଜେପି ଖେଳିଲା ‘ନୋ ରିପିଟ୍’ କାର୍ଡ

ନୂଆଦିଲ୍ଲୀ : ଗୁଜରାଟର ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ସରକାରର ନୂତନ ମନ୍ତ୍ରୀ ଆଉ କିଛି ସମୟ ପରେ ଗାନ୍ଧିନଗର ସ୍ଥିତ ରାଜଭବନରେ ଶପଥ ନେବେ । କ୍ୟାବିନେଟ ଗଠନକୁ ନେଇ ଏ ପର୍ଯ୍ୟନ୍ତ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ରୂପାନୀଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ବାହାର କରାଯାଇଛି । ଭୂପେନ୍ଦ୍ରଙ୍କ ନେତୃତ୍ୱରେ ସଂପୂର୍ଣ୍ଣ ନୂତନ କ୍ୟାବିନେଟ୍ ଗଠନ କରାଯାଇଛି । ଏଥିରେ ନୂତନ ଚେହେରା ଏବଂ ଜାତିଗତ ସମୀକରଣ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ରୂପାନୀଙ୍କ କ୍ୟାବିନେଟର କୌଣସି ମନ୍ତ୍ରୀଙ୍କୁ ପଟେଲଙ୍କ କ୍ୟାବିନେଟରେ ସାମିଲ୍ କରାଯାଇ ନାହିଁ ।

ବିଜେପି ପୂର୍ବରୁ ଇସାରା ଦେଇଥିଲା ଯେ, ଦଳ ରିପିଟ୍ ଫର୍ମୁଲାରେ କାମ କରିବ ନାହିଁ ଏବଂ ନୂତନ ଚେହେରାକୁ କ୍ୟାବିନେଟରେ ସ୍ଥାନ ମିଳିବ । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ମନ୍ତ୍ରିମଣ୍ଡଳରେ ନୂତନ ଚେହେରା ଉପରେ ଅଧିକ ଭରସା କରିଛି । ଅନ୍ୟପଟେ ଗୁଜରାଟ ବିଧାନସଭାର ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ମଧ୍ୟ ଇସ୍ତଫା ଦେଇଛନ୍ତି । କୁହାଯାଉଛି ତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ । ସବୁଠୁ ବଡ କଥା କ୍ୟାବିନେଟରେ ବରିଷ୍ଠ ପାଟିଦାର ନେତା ନୀତିନ ପଟେଲ୍ ଓ ଭୂପେନ୍ଦ୍ର ସିଂହ ଚୁଡାସମା ସମେତ ସମସ୍ତ ପୁରୁଣା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି ।

ଯେଉଁ ଚେହେରାକୁ କ୍ୟାବିନେଟରେ ସାମିଲ୍ କରାଯିବାର ଆଶା ରହିଛି ସେମାନଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ କୁହାଯାଇଛି । ଏଥିପାଇଁ ଆଜି ସକାଳେ ୨୧ ବିଧାୟକଙ୍କ ପାଖକୁ ଫୋନ୍ କରାଯାଇଛି । କୁହାଯାଉଛି ଯେଉଁ ବିଧାୟକଙ୍କୁ ଫୋନ କରାଯାଇଛି, ସେମାନଙ୍କୁ ମନ୍ତ୍ରୀ ପଦ ମିଳିବା ନିଶ୍ଚିତ ।

ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ସେହି ସମୟରେ ଆୟୋଜିତ ହେଉଛି ଯେତେବେଳେ ରାଜ୍ୟ ବିଧାନସଭା ନିର୍ବାଚନକୁ ପ୍ରାୟ ଏକ ବର୍ଷ ବାକି ରହିଛି । ମନ୍ତ୍ରିମଣ୍ଡଳରେ ପୁରୁଣା ଚେହେରାକୁ ସାମିଲ୍ ନକରାଯିବା ବିଜେପିର ଫର୍ମୁଲା ବିଧାନସଭା ନିର୍ବାଚନକୁ ନେଇ ଉଦ୍ଦିଷ୍ଟ ରହିଛି । ଏହା ପୂର୍ବରୁ ଶାସକ ଦଳ ଘୋଷଣା କରିଥିଲା ଯେ, ବୁଧବାର ଅପରାହ୍ନରେ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ମାତ ଅଚାନକ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା । ପୁଣି ଶପଥ କାର୍ଯ୍ୟକ୍ରମ ଗୁରୁବାର ନିର୍ଦ୍ଧାରିତ କରାଯାଇଥିଲା । କୁହାଯାଉଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଦଳରେ ବିଧାୟକଙ୍କ ମଧ୍ୟରେ ମତଭେଦ ରହିଥିଲା ।

Get real time updates directly on you device, subscribe now.