fbpx

ଦୁଷ୍କର୍ମ ମାମଲାରେ ଶୀର୍ଷରେ ରାଜସ୍ଥାନ, ଦ୍ୱିତୀୟରେ ଯୋଗୀଙ୍କ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ବୁଧବାର ଦିନ ୨୦୨୦ର ତଥ୍ୟ ପ୍ରକାଶ କରିଛି । ଏହି ଆକଳନ ଅନୁସାରେ, ସବୁଠାରୁ ଅଧିକ ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଟପ୍ ରେ ରହିଛି । ଏଠାରେ ୫ ହଜାର ୩୧୦ ମାମଲା ରୁଜୁ ହୋଇଛି । ପ୍ରଥମରେ ରାଜସ୍ଥାନ ରହିଥିବାବେଳେ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ । ଏଠାରେ ୨ ହଜାର ୭୯୬ ମାମଲା ସାମନାକୁ ଆସିଛି ।

ଏନସିଆରବି ପ୍ରକାଶ କରିଥିବା ତଥ୍ୟାନୁସାରେ, ୨୦୨୦ରେ ପୂରା ଦେଶରେ ମହିଳା ମାନଙ୍କ ବିରୋଧରେ ୩ ଲକ୍ଷ ୭୧ ହଜାର ୫୦୩ ଅପରାଧ ମାମଲା ରୁଜୁ କରାଯାଇଛି । ତେବେ ଏହି ସଂକ୍ୟା ୨୦୧୯ ତୁଳନାରେ କମ୍ ରହିଛି । ୨୦୧୯ରେ ୪ ଲକ୍ଷ ୫ ହଜାର ୩୨୬ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଦୁଷ୍କର୍ମର ୨୮ ହଜାର ୪୬ ମାମଲା ରୁଜୁ ହୋଇଥିଲା । ଅର୍ଥାତ୍ ପ୍ରତ୍ୟେକ ଦିନ ପ୍ରାୟ ୭୭ ଟି ମାମଲା ରୁଜୁ ହୋଇଛି ।

୨୦୧୯ ତୁଳନାରେ ୨୦୨୦ରେ କମ୍ ମାମଲା ରହିଛି କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦୁଷ୍କର୍ମ ମାମଲାରେ ରାଜସ୍ଥାନ ୨୦୧୯ରେ ବି ପ୍ରଥମରେ ଥିଲା ଓ ୨୦୨୦ରେ ବି ପ୍ରଥମରେ ହିଁ ରହିଛି । ୨୦୧୯ରେ ଏଠାରେ ଦୁଷ୍କର୍ମର ୫ ହଜାର ୯୯୭ ଟି ମାମଲା ରୁଜୁ ହୋଇଥିଲା । ତେବେ ଚଳିତ ବର୍ଷ ଦ୍ୱିତୀୟରେ ୟୁପି ରହିଥିବା ବେଳେ ତୃତୀୟରେ ମଧ୍ୟପ୍ରଦେଶ ରହିଛି ।

ଖାଲି ସେତିକି ନୁହେଁ ୨୦୨୦ରେ ଦେଶବ୍ୟାପୀ ୩ ହଜାର ୭୪୧ ରେପ୍ କରିବାକୁ ଉଦ୍ୟମ କରାଯାଇଥିବା ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୯୫ ମାମଲାରେ ପୀଡ଼ିତା ୧୮ ବର୍ଷରୁ କମ୍ ହୋଇଥିବା ଏନସିଆରବି ରିପୋର୍ଟ କହୁଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୯୫ ପ୍ରତିଶତ ମାମଲାରେ ଅଭିଯୁକ୍ତ ପୀଡ଼ିତାଙ୍କ ସମ୍ପର୍କୀୟ ରହିଛନ୍ତି । ରାଜସ୍ଥାନର ୫,୩୧୦ ମାମଲାରୁ ୫,୦୪୬ ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟ ହିଁ ଅଭିଯୁକ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.