fbpx

ସ୍କୁଲ ଭିତରେ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ପଢାଯାଉଥିଲା ନମାଜ, ସ୍କୁଲ ବାହାରେ ହିନ୍ଦୁ ସଂଗଠନର ବିକ୍ଷୋଭ ସହ ହନୁମାନ ଚାଳିଶା ପାଠ

ନୂଆଦିଲ୍ଲୀ: ଗୁଜୁରାଟର ଏକ ସ୍କୁଲରେ ବକରିଇଦ୍ର ସେଲିବ୍ରେସନ କରାଯିବା ସହ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ନମାଜ ପଢିବାକୁ ବାଧ୍ୟ କରାଯାଇଥିଲା । ଗୁଜୁରାଟ ମହେସାଣାର ଏକ ବେସରକାରୀ ସ୍କୁଲରେ ବକରିଇଦ୍ ସେଲିବ୍ରେସନକୁ ନେଇ ଏବେ ସାରା ଦେଶରେ ଝଡ ଉଠିଛି । ଏହି ସମୟରେ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ନମାଜ ପଢିବାକୁ କୁହାଯାଇଥିବା ଜଣାଯାଇଛି । ତେବେ ଯେତେବେଳେ ପିଲାଙ୍କ ଅଭିଭାବକମାନେ ଏ ବିଷୟରେ ଜାଣିଥିଲେ ସେତେବେଳେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ହିନ୍ଦୁ ସଂଗଠନ ବି କ୍ରୋଧ ପ୍ରକାଶ କରିଛି । ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସ୍କୁଲ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ବକରିଇଦ୍ ଉପଲକ୍ଷେ ସାରା ଦେଶରେ ସ୍କୁଲ ଛୁଟୀ ଥିବା ବେଳେ ଏଠି କିନ୍ତୁ ଏକ ପ୍ରାଇଭେଟ୍ ଇଂରାଜୀ ମିଡିୟମ ସ୍କୁଲରେ ପର୍ବ ପାଳନ ଲାଗି ସ୍କୁଲ ଖୋଲା ରହିଥିଲା ଓ ସବୁ ପିଲାଙ୍କୁ ସ୍କୁଲ ଆସିବାକୁ କୁହାଯାଇଥିଲା । ଏହି ସମୟରେ ପିଲାଙ୍କୁ ବକରିଇଦ୍ ବିଷୟରେ ବୁଝାଯାଇଥିଲା । ନମାଜ କିପରି ପଢାଯାଏ ସେମାନଙ୍କୁ ବୁଝାଯିବା ସହ ନମାଜ ପଢିବାକୁ ମଧ୍ୟ କୁହାଯାଇଥିଲା । ଯେତେବେଳେ ପିଲାମାନେ ନମାଜ ପଢୁଥିବାର ଫଟୋ ସେମାନଙ୍କ ପିତାମାତାଙ୍କ ନିକଟରେ ପହଞ୍ଚିଥିଲା ସେତେବେଳେ ହଙ୍ଗାମା ସୃଷ୍ଟି ହୋଇଥିଲା ।

ସ୍କୁଲରେ ବକରିଇଦ୍ ପର୍ବ ପାଳନ ହେଉଥିବା ଜାଣିବା ପରେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ସ୍କୁଲ ବାହାରେ ଏକତ୍ରୀତ ହୋଇ ହଙ୍ଗାମା କରିଥିଲେ ଓ ସ୍କୁଲ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକର୍ତ୍ତାମାନେ ସ୍କୁଲ ବାହାରେ ରାମଧୁନ ଓ ହନୁମାନ ଚାଲିଶା ପାଠ ବି ଆରମ୍ଭ କରି ଦେଇଥିଲେ । ଅନ୍ୟପକ୍ଷରେ ସ୍କୁଲ ମାଲିକ ରାଶୀ ଗୌତମ କହିଛନ୍ତି ସେ ଜଣେ ହିନ୍ଦୁ । ସେ ସ୍କୁଲରେ ମୁସଲିମ୍ ଧର୍ମକୁ ପ୍ରୋତ୍ସାହନ ଦେବା ଲାଗି କୌଣସି କାମ କରି ନାହାନ୍ତି । ବରଂ ଆମ ଦେଶରେ ଯେଉଁସବୁ ପର୍ବ ପାଳନ ହେଉଛି ସେ ବିଷୟରେ ପିଲାଙ୍କୁ ସୂଚନା ଦେବା ପାଇଁ ଏପରି କରିଥିଲେ ବୋଲି କହିଛନ୍ତି । କିନ୍ତୁ ପରିସ୍ଥିତି ନ ଥମିବାରୁ ସ୍କୁଲ ପ୍ରଶାସନ ପକ୍ଷରୁ ପୋଲିସକୁ ଡକାଯାଇଥିଲା । ପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ କ୍ଷମା ପ୍ରାର୍ଥନା କରାଯିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା ।

Get real time updates directly on you device, subscribe now.