fbpx

Qualifier ଲଢ଼େଇ: ଶୁବମନଙ୍କ ଝଡ଼ରେ କମ୍ପିଲା ମୈଦାନ, ମୁମ୍ବାଇ ଆଗରେ ୨୩୪ ରନର ବିଶାଳ ଟାର୍ଗେଟ୍

ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ମହାଲଢ଼େଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି । କ୍ୱାଲିଫାୟର-୨ରେ ଆଜି ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ତେବେ ଆଜି ପୁଣି ଥରେ ଗୁଜରାଟର ଓପନର ତାରକା ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କ ଝଡ଼ ଦେଖିବାକୁ ମିଳିଛି । ଆଜିର ମ୍ୟାଚରେ ଶୁବମନ ମାତ୍ର ୬୦ଟି ବଲରୁ ୧୨୯ ରନ ସଂଗ୍ରହ କରି ଚୌକା, ଛକା ବର୍ଷା କରିଥିଲେ । ଫଳରେ ଦଳ ୨୦୦ ରନ୍ ଅତିକ୍ରମ କରିପାରିଥିଲା ।

ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲେ । ତେବେ ଦୁଇ ଓପନିଂ ଯୋଡ଼ି ଶୁବମନ ଓ ରିଦ୍ଧିମାନ ଶାହ ପ୍ରଥମରୁ ମୁମ୍ବାଇ ଉପରେ ଭୟଙ୍କର ଭାବେ ଆଟାକ୍ ଆରମ୍ଭ କରିଦେଇଥିଲେ । ୫୪ ରନରେ ଦଳ ରିଦ୍ଧିମାନଙ୍କ ୱିକେଟ ହରାଇଥିଲା । ଏହାପରେ କ୍ରିଜକୁ ସାଇ ସୁଦରସନ ଆସିଥିଲେ ହେଁ ସେ ୪୩ ରନ୍ କରି ରିଟାୟାର୍ଡ ହର୍ଟ ହୋଇ ଫେରିଯାଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୩୩ ରନ୍ ସଂଗ୍ରହ କରିଥିଲା । ମୁମ୍ବାଇ ପକ୍ଷରୁ ଆକାଶ ମାଧୱାଲ ଓ ପୀୟୁଷ ଚାୱଲା ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଚେନ୍ନାଇ ଗୁଜରାଟକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରି ସାରିଛି । ଦ୍ୱିତୀୟ ଫାଇନାଲିଷ୍ଟ ଟିମ୍ ପାଇଁ ଆଜି ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ହେଭି ଟକ୍କର ଦେଖିବାକୁ ମିଳିଛି । ଆଜିର ମ୍ୟାଚର ବିଜେତା ଚେନ୍ନାଇ ସହିତ ଆସନ୍ତା ୨୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳିବ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ କାହା ମୁଣ୍ଡରେ ଆଜି ହାତୀ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା । ଯଦିଓ ଗୁଜରାଟ ଆଜି ହାଇ ସ୍କୋର କରିଛି ତଥାପି ମୁମ୍ବାଇ ବି କିଛି କମ୍ ନୁହେଁ । ଠିକଣା ସ୍ଥାନରେ ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ପ୍ରତିପକ୍ଷଙ୍କୁ ସଠିକ୍ ଜବାବ ଦେବାରେ ବେଶ୍ ମାହିର ଅଟନ୍ତି । ତେଣୁ ଆଜିର ଫାଇନାଲିଷ୍ଟ କିଏ ହେବ ତାହା ଜାଣିବା ପାଇଁ ଖେଳ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.