ଆଖି ପିଛୁଳାକେ ଗାଏବ ହୋଇଗଲା ୪ ହଜାର ୫୦୦ କୋଟି; ଚୋରଙ୍କୁ କହିଲେ ଆସ ଚାକିରି କରିବ

ନୂଆଦିଲ୍ଲୀ: ଆଖି ପିଛୁଳାକେ ଲୁଟି ନେଲେ ୪ ହଜାର ୫୦୦ କୋଟି ଆଉ ତା ପୁଣି ବିନା ଉପସ୍ଥିତିରେ । ହ୍ୟାକିଂ କରି ୪୫୦୦ କୋଟିର କ୍ରିପ୍ଟୋକରେନ୍ସି ଲୁଟିବା ପରେ ଅର୍ନ୍ତଦ୍ଧାନ ହୋଇ ଯାଇଛନ୍ତି ସାଇବର ଲୁଟେରା । ଏଥେରିୟନ ଓ ଅନ୍ୟାନ୍ୟ କ୍ରିପ୍ଟୋ କରେନ୍ସିରେ ରହିଥିବା ଏହି ଅର୍ଥକୁ ଲୁଟି ନେଇ କେଉଁ ଆଡେ ଗାଏବ ହୋଇ ଯାଇଛନ୍ତି ଲୁଟେରା । ପଲି ନେଟୱର୍କ ଉପରେ ସାଇବର ଆକ୍ରମଣ ହୋଇ ଏହି ଲୁଟ ହୋଇଥିବା କୁହାଯାଇଛି । ତେବେ ଏହାପରେ ଆଉ ଏକ ଅଜବ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ହ୍ୟାକର ମାନଙ୍କୁ ଡାକି ଚାକିରିର ଅଫର ଦେଇଛି ପଲି ନେଟୱର୍କ ।

ସାଇବର ଆକ୍ରମଣ ଘଟଣାରେ ଏହା ସବୁଠାରୁ ବଡ ଲୁଟ ବୋଲି କୁହାଯାଉଛି । ପ୍ରାୟ ୬୧୧ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୫୩୭ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଲୁଟ ହୋଇଛି । ତେବେ ଏହି ଲୁଟ କରିଥିବା ବ୍ୟକ୍ତି ମାନଙ୍କୁ ପଲି ନେଟୱର୍କ ପକ୍ଷରୁ ପଇସା ଫେରାଇବା ପାଇଁ ଅନୁରୋଧ କରାଯାଇ ଟ୍ୱିଟ୍ କରାଯାଇଛି । ଆପଣ ମାନେ ଯେଉଁ ପଇସା ଲୁଟିଛନ୍ତି ତାହା ହଜାର ହଜାର ଆକାଉଣ୍ଟର ପଇସା ତେଣୁ ଏହାକୁ ଉଡାଇବା ପରିବର୍ତ୍ତେ ଫେରସ୍ତ କରି ଦିଅନ୍ତୁ । ଏପରିକି ହ୍ୟାକର ମାନଙ୍କୁ ଚାକିରି ମଧ୍ୟ ଅଫର କରିଛି ପଲି ନେଟୱର୍କ । ଆପଣ ଏବଂ ଆମେ ମିଶି ଏହି ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ଦିଗରେ କାମ କରି ପାରିବା ବୋଲି ଟ୍ୱିଟରେ କହିଛି କମ୍ପାନୀ । ପଲି ନେଟୱର୍କ ହେଉଛି ବିଶ୍ୱର ସବୁଠାରୁ ବଡ କ୍ରିପ୍ଟୋ କରେନ୍ସି ନେଟୱର୍କ ଯାହାକି କ୍ରିପ୍ଟୋ କରେନ୍ସି ପରିବର୍ତ୍ତନ କରିବାର ସୁଯୋଗ ଦେଇଥାଏ ।