ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର ଉତ୍ତରପ୍ରଦେଶର ହାଥରସରେ ପହଞ୍ଚିଛନ୍ତି। ହାଥରସରେ ସେ ୨୦୨୦ରେ ଗଣଦୁଷ୍କର୍ମ ପରେ ମୃତ୍ୟୁବରଣ କରିଥିବା ଦଳିତ ମହିଳାଙ୍କ ପରିବାରକୁ ଭେଟିଥିଲେ। ଏହି ସାକ୍ଷାତ ପରେ ରାହୁଲ ଗାନ୍ଧି ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି । ରାହୁଲଙ୍କ ପୋଷ୍ଟ ଅନୁଯାୟୀ, ପୀଡ଼ିତାଙ୍କ ପରିବାରକୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେମାନଙ୍କୁ ସବୁବେଳେ ବନ୍ଧୁକ ଓ କ୍ୟାମେରା ନଜରରେ ରଖାଯାଇଥାଏ। ରାହୁଲ ଗାନ୍ଧି ମଧ୍ୟ ଉତ୍ତରପ୍ରଦେଶର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ବିଜେପି ସରକାର ପୀଡ଼ିତାଙ୍କ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ ବୋଲି ସେ ଲେଖିଛନ୍ତି। ନା ସରକାରୀ ଚାକିରି ଦିଆଯାଇଛି ନା ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାର ପ୍ରତିଶ୍ରୁତି ପୂରଣ ହୋଇଛି। ରାହୁଲଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ସରକାର ସେମାନଙ୍କୁ ବିଭିନ୍ନ ଉପାୟରେ ନିର୍ଯାତନା ଦେଉଛନ୍ତି। ଅପରପକ୍ଷରେ ଅଭିଯୁକ୍ତମାନେ ଖୋଲାଖୋଲି ବୁଲୁଛନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି, ହାଥରସ ଯାଇ ଚାରି ବର୍ଷ ତଳେ ଘଟିଥିବା ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ଘଟଣାର ପୀଡ଼ିତା ପରିବାରକୁ ଭେଟିବା।
ମିଟିଂ ସମୟରେ ସେ ମୋତେ ଯାହା କହିଥିଲେ ତାହା ମୋତେ ଦୋହଲାଇ ଦେଇଥିଲା। ପୂରା ପରିବାର ଏବେ ବି ଭୟରେ ଜୀବନ ବିତାଉଛନ୍ତି। ନ୍ୟାୟ ପାଇବା ପାଇଁ ପୀଡ଼ିତାଙ୍କ ପରିବାର ସହ ପୂରା ଶକ୍ତି ସହ ଠିଆ ହେବା କଥା କହିଛନ୍ତି ରାହୁଲ ଗାନ୍ଧି । ସେପ୍ଟେମ୍ବର ୨୦୨୦ରେ ହାଥରସରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ନାବାଳିକାର ମୃତ୍ୟୁ ଘଟିଥିଲା। ସେହି ସମୟରେ ମଧ୍ୟ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଲଢ଼େଇ କରିବେ ବୋଲି କହିଥିଲେ।