fbpx

ଜେଲରେ ତାଙ୍କୁ ସ୍ଲୋ ପଇଜନ୍ ଦିଆଯାଇଛି, ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ସାନ ପୁଅଙ୍କ ପ୍ରତିକ୍ରିୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଖ୍ୟାତ ମାଫିଆ ଡନ୍ ଭାବେ ପରିଚିତ ମୁଖତାର ଅନସାରୀ । ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିମଧ୍ୟରେ ମୁଖତାରଙ୍କ ସାନ ପୁଅର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ପିତାଙ୍କୁ ଜେଲରେ ସ୍ଲୋ ପଇଜନ୍ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ମୁଖତାରଙ୍କ ମୃତୁ୍ୟ ଏବଂ ଶୁକ୍ରବାର ପ୍ରାର୍ଥନା(ଜୁମେ କି ନମାଜ)କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଥିବା ପ୍ରମୁଖ ମସଜିଦରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନମାଜ ପାଠ ପରେ ମସଜିଦରେ ଭିଡ଼ କରିବା ଉପରେ କଟକଣା ରହିଛି । ଏହା ସହ ଗାଜିପୁର, ମଉ ଏବଂ ବାରାଣାସୀ ଭଳି ଅନେକ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି ।

ସୂଚନାରୁ ପ୍ରକାଶ ନିକଟରେ ଉତ୍ତର ପ୍ରଦେଶ ସ୍ଥିତ ବାନ୍ଦା ଜେଲରେ ବନ୍ଦି ଥିବା କୁଖ୍ୟାତ ଡନ୍ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅନସାରୀ କୋର୍ଟରେ ଏକ ପ୍ରାର୍ଥନା ପତ୍ର ଦେଇ ଅଭିଯୋଗ କରିଥିଲେ ଯେ ଜେଲରେ ତାଙ୍କୁ ଖାଦ୍ୟରେ ସ୍ଲୋ ପଇଜନ୍ ଦିଆଯାଉଛି । ପରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏଥିମଧ୍ୟରେ ମୁଖତାର ଅନସାରୀଙ୍କ ସାନ ପୁଅ ଉମର ଅନସାରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତାଙ୍କୁ ଜେଲରେ ସ୍ଲୋ ପଇଜନ୍ ଦିଆଯାଉଥିଲା । ତେଣୁ ତାଙ୍କର ମୃତ୍ୟୁ ହୋଇଛି । ଉମର ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ତାଙ୍କୁ ପିତାଙ୍କ ସହ ଭେଟ ହେବା ପାଇଁ ମଧ୍ୟ ମନା କରିଦିଆଯାଇଥିଲା । ଡାକ୍ତରମାନେ ମଧ୍ୟ ପିତାଙ୍କ ଚିକିତ୍ସାରେ ଅବହେଳା କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି । ଅପରପକ୍ଷରେ ମୁଖତାର ଅନସାରୀଙ୍କ ଭାଇ ସିବଗତୁଲ୍ଲାହ ଅନସାରୀ କହିଛନ୍ତି ଯେ ଏହା ଏକ ଷଡ଼ଯନ୍ତ୍ର । ଜେଲରେ କେହି ବି ସୁରକ୍ଷିତ ନୁହଁନ୍ତି । ଏହି ଘଟଣାର ଶୀଘ୍ର ତଦନ୍ତ କରାଯାଉ । ଲେଟେଷ୍ଟ ରିପୋର୍ଟ ଅନୁଯାୟୀ ଡାକ୍ତରଙ୍କ ଏକ ତିନି ଜଣିଆ ଟିମ୍ ମୁଖତାର ଅନସାରୀଙ୍କ ଶବବ୍ୟବଚ୍ଛେଦ କରିବେ । ଏହା ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.