fbpx

ସେ କଥା କଥାରେ ଲେଖିଦିଅନ୍ତି ଗୀତ; ତାଙ୍କ କଣ୍ଠର କୁହୁକରେ ଜୀବନ୍ତ ହୋଇଉଠେ ସଙ୍ଗୀତ

ଆଜି ମନେ ପଡ଼ନ୍ତି ସଙ୍ଗୀତର କିମ୍ବଦନ୍ତୀ ଖୋକାଭାଇ

ଓଡ଼ିଶା ଭାସ୍କର: ଆଜି ମନେ ପଡ଼ନ୍ତି ସଙ୍ଗୀତର କିମ୍ବଦନ୍ତୀ ଖୋକାଭାଇ । ସେ କଥା କଥାରେ ଲେଖିଦିଅନ୍ତି ଗୀତ । ଆଉ ସେ ଗୀତକୁ ଗାଇଲେ ତାହା ଯେପରି ହୋଇଉଠେ ଜୀବନ୍ତ । ସଙ୍ଗୀତର କଳାଜୟୀ ସ୍ରଷ୍ଟା ହେଉଛନ୍ତି ଅକ୍ଷୟ ମହାନ୍ତି । ଓଡ଼ିଆ ସଙ୍ଗୀତ ଜଗତର ସେ ହେଉଛନ୍ତି ବାଦଶାହା । ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ ଓ ଔପନ୍ୟାସିକ ଭାବେ ବେଶ ପରିଚିତ । ସେ ଖୋକା ଭାଇ ନାମରେ ଅଧିକ ଜଣାଶୁଣା । ଆଜି ତାଙ୍କର ୮୭ ତମ ଜନ୍ମ ଜୟନ୍ତୀ । ୧୯୩୬ ମସିହା ଆଜିର ଦିନରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଆଧୁନିକ ତଥା ସୁଗମ ସଙ୍ଗୀତର ଜନ୍ମଦାତା ବୋଲି ମଧ୍ୟ ତାଙ୍କୁ କୁହାଯାଇଥାଏ । ସଙ୍ଗୀତ ପ୍ରତି ତାଙ୍କର ରୁଚି ତାଙ୍କୁ ଦେଇଥିଲା ନୂଆ ପରିଚୟ । ଆଉ ହୋଇଗଲେ ସେ ସଙ୍ଗୀତ ଜଗତର ବାଦଶାହା । ଗୀତ ଗାଇବା , ଗୀତ ଲେଖିବା ଏବଂ ଏହାକୁ ସ୍ୱରରେ ସଜାଇବା ସହିତ ଓଡିଆ ସଙ୍ଗୀତରେ ଏକ ନୂଆ ଧାରା ସୃଷ୍ଟି କରିଥିଲେ ଅକ୍ଷୟ ମହାନ୍ତି । ପ୍ରଚ୍ଛଦପଟ୍ଟ ସଙ୍ଗୀତ ହେଉ, କି ଆଧୁନିକ ଗୀତ, କି ଲୋକଗୀତ ଏବଂ ଭଜନ ଅକ୍ଷୟ ମହାନ୍ତି ନିଜର ପରିଚୟ ଛାଡ଼ି ଦେଇଯାଇଛନ୍ତି । କେବଳ ସଙ୍ଗୀତରେ ସେ ସୀମିତ ନଥିଲେ । ସେ ମଧ୍ୟ ସାହିତ୍ୟରେ ଅନେକ ଅଭୁଲା ସ୍ମୃତି ଛାଡ଼ିଯାଇଛନ୍ତି ।

ଅକ୍ଷୟଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତ ପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ ଗ୍ରାମୋଫୋନ ଜରିଆରେ କଣ୍ଠଦାନ କରୁଥିଲେ । । ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ଓ ଦୁଇ ଝିଅ ଅଛନ୍ତି ।
ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ଜୟନ୍ତୀ । ସେ ୧୨୯ଟି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି, ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୨୦୦୨ ନଭେମ୍ବର ୧୭ରେ ଓଡ଼ିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷ ଆଖି ବୁଜିଥିଲେ ।

Get real time updates directly on you device, subscribe now.