fbpx
BJD SKY
BJD SKY

ଭାରତୀୟ କ୍ରିକେଟ୍ ଦଳର କୋଚ୍ ପଦ ଛାଡିବେ ରବି ଶାସ୍ତ୍ରୀ ! ସପୋର୍ଟ ଷ୍ଟାଫରେ ବି ହେବ ପରିବର୍ତ୍ତନ

BJD

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରାଟ୍ସ(ୟୁଏଇ)ରେ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ଭାରତୀୟ କ୍ରିକେଟ୍ ଦଳରେ ସପୋର୍ଟ ଷ୍ଟାଫରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର, ବୋଲିଂ କୋଚ୍ ଭରତ ଅରୁଣ ଓ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦଳରୁ ଅଲଗା ହୋଇ ପାରନ୍ତି ।

ସୂତ୍ର ଅନୁଯାୟୀ, ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କିଛି ଅଧିକାରୀଙ୍କୁ ପୂର୍ବରୁ ଜଣାଇ ଦେଇଛନ୍ତି ଯେ, ସେ ଆଗାମୀ ଟି-୨୦ ବିଶ୍ୱ କପ୍ ପରେ ଭାରତୀୟ କ୍ରିକେଟ୍ ଦଳ ଛାଡି ପାରନ୍ତି । ଜାତୀୟ ସିନିୟର କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱ କପ ପରେ ସମାପ୍ତ ହେଉଛି ।

ରବି ଶାସ୍ତ୍ରୀ ନିର୍ଦ୍ଦେଶକ ଭାବେ ୨୦୧୪ରେ ଭାରତୀୟ ଦଳରେ ଯୋଗ ଦେଇଥିଲେ । ଏହା ପରେ ୨୦୧୬ ଟି-୨୦ ବିଶ୍ୱ କପ୍ ପର୍ଯ୍ୟନ୍ତ ଦଳର କୋଚ୍ ଭାବେ ନିଯୁକ୍ତ ହୋଇଥିଲେ । ଏହା ପରେ ପ୍ରାୟ ଗୋଟିଏ ବର୍ଷ ଅନିଲ୍ କୁମ୍ବଲେ ଦଳର ମୁଖ୍ୟ କୋଚ୍ ଥିଲେ । ୨୦୧୭ରେ ଇଂଲଣ୍ଡରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଭାରତକୁ ହତାଇ ଚାମ୍ପିଅନ ହୋଇଥିଲା । ଅଧିନାୟକ ବିରାଟ କୋହଲିଙ୍କ ସହ ବିବାଦ ପରେ ଅନିଲ କୁମ୍ବଲେ କୋଚ୍ ପଦରୁ ଇସ୍ତଫା ଦେଇଥିଲେ ।

ଏହା ପରେ ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା । ଶାସ୍ତ୍ରୀ କୋଚିଂ ସମୟରେ ଭାରତ ଅଷ୍ଟ୍ରେଲିଆରେ ଦୁଇ ଥର ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି । ଏହା ବ୍ୟତୀତ ତାଙ୍କ ତତ୍ୱାବଧାନରେ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲା । ମାତ୍ର ଏହା ଶାସ୍ତ୍ରୀଙ୍କ ଦୁର୍ଭାଗ୍ୟ କୁହାଯିବ ଯେ, ତାଙ୍କ ପ୍ରଶିକ୍ଷଣ ସମୟରେ ଭାରତ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ ।

ନିୟମ ଅନୁସାରେ ଟି-୨୦ ବିଶ୍ୱ କପ ପରେ ବିସିସିଆଇ କୋଚ୍ ପଦ ପାଇଁ ଆବେଦନ ମଗାଇବ । ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡରେ ରାହୁଲ ଦ୍ରାବିଡ ସବୁଠୁ ଆଗରେ ଅଛନ୍ତି । ନିକଟରେ ଦ୍ରାବିଡଙ୍କ କୋଚିଂରେ ଶିଖର ଧାୱନଙ୍କ ନେତୃତ୍ୱାଧୀନ ଯୁବ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଭଲ ପ୍ରଦର୍ଶନ କରିଥିଲା ।

Get real time updates directly on you device, subscribe now.