fbpx

କେନ୍ଦ୍ର ଖେଳ ରତ୍ନ ଆୱାର୍ଡର ନାମ ବଦଳାଇବାରୁ ମହାରାଷ୍ଟ୍ରରେ ଆରମ୍ଭ ହୋଇଗଲା ରାଜୀବ ଗାନ୍ଧୀଙ୍କ ନାମରେ ସ୍କିମ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ଖେଳ ରତ୍ନରୁ ହଟାଇବାର କିଛି ଦିନ ପରେ ମହାରାଷ୍ଟ୍ର ସରକାର ତାଙ୍କ ନାମରେ ଏକ ପୁରସ୍କାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟର ଉଦ୍ଧବ ଠାକରେ ସରକାର ‘ରାଜୀବ ଗାନ୍ଧୀ ଆୱାର୍ଡ ଫର ଏକ୍ସିଲେନ୍ସି ଇନ ଆଇଟି ସେକ୍ଟର’ ନାମରେ ପୁରସ୍କାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପୁରସ୍କାର ସେହି ଆଇଟି କମ୍ପାନୀକୁ ଦିଆଯିବ, ଯାହାଙ୍କ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବ । ବର୍ତ୍ତମାନ ରାଜ୍ୟର ମେଣ୍ଟ ସରକାରରେ କଂଗ୍ରେସ ସହଯୋଗୀ ପାର୍ଟି । ରାଜ୍ୟରେ ଶିବସେନା, କଂଗ୍ରେସ ଓ ଏନସିପିର ମହାବିକାଶ ଅଘାଡି ମେଣ୍ଟ ସରକାର ଚାଲିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି, ଏହି ପୁରସ୍କାର ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିବା ରାଜୀବ ଗାନ୍ଧୀଙ୍କ ନାମରେ ଦିଆଯିବ । ଦେଶରେ ଆଇଟି କ୍ଷେତ୍ରରେ ବିପ୍ଳବ ଆଣିଥିବା ରାଜୀବଙ୍କ ଯୋଗଦାନକୁ ସମ୍ମାନିତ କରାଯିବ । ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ପୁରସ୍କାର ଦିବଙ୍ଗତ କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅଗଷ୍ଟ ୨୦ରେ ପ୍ରଦାନ କରାଯିବ । ପୁରସ୍କାର ପାଇଁ ସଂଗଠନର ଚୟନ ପାଇଁ ରୂପରେଖା ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିଗମ ନୋଡାଲ ଏଜେନ୍ସି ରହିବ ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇ ଯାଇଛି । ବିଜେପି ନେତା ମାଧବ ଭଣ୍ଡାରୀ କହିଛନ୍ତି, ଆମକୁ ରାଜୀବ ଗାନ୍ଧୀଙ୍କ ନାମରେ ପୁରସ୍କାର ଘୋଷଣାରେ କୌଣସି ସମସ୍ୟା ନାହିଁ । ମାତ୍ର କଂଗ୍ରେସ ଯେବେ କ୍ରମାଗତ ୧୫ ବର୍ଷ ଧରି କ୍ଷମତାରେ ଥିଲା, ତେବେ ରାଜୀବ ଗାନ୍ଧୀଙ୍କ ନାମରେ କଣ ପାଇଁ ଆଇଟି ଆୱାର୍ଡ ଆରମ୍ଭ କଲା ନାହିଁ । ସେମାନେ ରାଜନୀତି କରୁଛନ୍ତି ଏବଂ ସେମାନଙ୍କର ପୂରା ରାଜନୀତି ଗାନ୍ଧୀ-ଭଦ୍ରା ପରିବାର ଉପରେ ପର୍ଯ୍ୟବେସିତ ରହୁଛି ।

Get real time updates directly on you device, subscribe now.