fbpx

ଗୃହରେ ଉପଦ୍ରବ ନେଇ ମର୍ମାହତ ଭେଙ୍କେୟା ନାଇଡୁ, ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : କୃଷି ଆଇନ ଓ ପେଗାସସ୍ ଗୁଇନ୍ଦାଗିରି ବିବାଦ ସମେତ ଅନେକ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ରାଜ୍ୟସଭାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଗୃହ ଅଚଳ ହୋଇ ପଡୁଛି । ବୁଧବାର ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ମଙ୍ଗଳବାର ଘଟଣାର ଉଲ୍ଲେଖ କରି ଭେଙ୍କେୟା କହିଛନ୍ତି, ଯେବେ କୃଷି ଆଇନର ବିରୋଧରେ କିଛି ସାଂସଦ ଗୃହର ମଧ୍ୟ ଭାଗରେ ବସି ପଡିଲେ ଏବଂ ଅନ୍ୟ ସାଂସଦ ନିଜ ଆସନ ଉପରେ ଚଢିଗଲେ ସେହି ସମୟରେ ରାଜ୍ୟସଭାର ସମସ୍ତ ପବିତ୍ରତା ନଷ୍ଟ ହୋଇଗଲା । ଗୃହରେ ହଟ୍ଟଗୋଳ କରିଥିବା ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନାଇଡୁ କହିଛନ୍ତି ।

ଉଲ୍ଲେଖନୀୟ ମଙ୍ଗଳବାର ରାଜ୍ୟସଭାରେ ସାଂସଦଙ୍କ ବ୍ୟବହାର ସମସ୍ତ ସୀମା ଲଙ୍ଘିଥିଲା । କଂଗ୍ରେସର ଜଣେ ସାଂସଦ ଆସନ ଉପରେ ଚଢି ପୋଡିୟମ ଆଡକୁ ରୁଲ୍ ବୁକ୍ ମଧ୍ୟ ଫିଙ୍ଗିଥିଲେ । ଏହି ପରି ଘଟଣା ପାଞ୍ଚ ଥର ହେବାରୁ ରାଜ୍ୟସଭାର ଗୃହ କାର୍ଯ୍ୟକୁ ଦିନ ସାରା ମୁଲତବୀ ରଖିବାକୁ ପଡିଥିଲା ।

 

ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ କହିଛନ୍ତି, ଏହାକୁ ନେଇ ମୁଁ ବହୁତ ଦୁଃଖିତ ଯେ, କିଛି ସଦସ୍ୟ ମୌସୁମି ଅଧିବେଶନରେ ଖୁବ୍ ଉପଦ୍ରବ କରିଛନ୍ତି । ଏମିତି ହୋ ହାଲ୍ଲା ନକରି ପ୍ରସଙ୍ଗ ଉପରେ ବିତର୍କ କରାଯାଇ ପାରିବ। ସଦସ୍ୟଙ୍କ ରାୟ ଭିନ୍ନ ଭିନ୍ନ ହୋଇପାରେ ମାତ୍ର ଯେଉଁଭଳି ଗୃହରେ ଉପଦ୍ରବ କରାଗଲା ତାହା ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି ନାଇଡୁ କହିଛନ୍ତି । ନାଇଡୁଙ୍କ ଏହି ଟିପ୍ପଣୀ ସମୟରେ ମଧ୍ୟ ଗୃହରେ ହୋ ହାଲ୍ଲା ଜାରି ରହିଥିଲା।

ଭେଙ୍କେୟା ନାଇଡୁ ବୁଧବାର ଗୃହରେ ବିରୋଧୀଙ୍କ ବ୍ୟବହାରର ନିନ୍ଦା କରି କହିଛନ୍ତି, ଗତକାଲି ସଂସଦରେ ଯାହା ଘଟିଲା ସେଥିରେ ସେ ମର୍ମାହତ । କିଛି ସଦସ୍ୟ ନିଜ ଆସନରେ ଉପରେ ଚଢି ଗୃହର ସୀମା ଲଙ୍ଘିଛନ୍ତି । ଗୃହର ଗାରିମାକୁ ଆଘାତ ଦେଇଛନ୍ତି । ସୂତ୍ର ଅନୁଯାୟୀ, ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁ ଗୁରୁବାର ଗୃହରେ ଉପଦ୍ରବ କରିଥିବା ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ଗୃହର ନେତା ପିୟୂଷ ଗୋଏଲ ଓ ଅନ୍ୟ ବିଜେପି ସାଂସଦ ଆଜି ସକାଳେ ନାଇଡୁଙ୍କୁ ସାକ୍ଷାତ କରିଥିଲେ ।

Get real time updates directly on you device, subscribe now.