ଖରାଦିନେ କୋଲ୍ଡଡ୍ରିଙ୍କ୍ସ ପିଉଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ୟା

ଖରାଦିନେ କୋଲ୍ଡଡ୍ରିଙ୍କ୍ସ ପିଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ।

ନୂଆଦିଲ୍ଲୀ: ଜାରି ରହିଛି ଗ୍ରୀଷ୍ମ ଋତୁ । ପ୍ରଚଣ୍ଡ ଖରା ସାଙ୍ଗକୁ ଜାରି ରହିଛି ଗୁଳୁଗୁଳି । ଏହି ସମୟରେ ସାଧାରଣତଃ ସମସ୍ତଙ୍କୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗରମ ସମୟରେ କାର୍ବୋନେଟେଡ ଥଣ୍ଡା ପାନୀୟ ପିଇବା ଦ୍ୱାରା ଦ୍ରୁତ ଝାଳ ବାହାରିଥାଏ, ଯାହା ଶରୀରରେ ଜଳ ହ୍ରାସକୁ ବୃଦ୍ଧି କରିଥାଏ ।

ସେହିପରି ଚା ଏବଂ କଫିରେ କ୍ୟାଫିନ୍ ମିଳିଥାଏ, ଯାହା ଶରୀରର ତାପମାତ୍ରା ବୃଦ୍ଧି କରି ଡିହାଇଡ୍ରେସନର ଆଶଙ୍କା ବଢ଼ାଇପାରେ । ଯଦି ପ୍ରଚଣ୍ଡ ଖରା ଏବଂ ପ୍ରବଳ ଗରମରୁ ଆରାମ ପାଇବା ପାଇଁ ଥଣ୍ଡା ପାନୀୟ ପିଉଛନ୍ତି, ତେବେ ସାବଧାନ ରୁହନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (NPCCHL) ଥଣ୍ଡା ପାନୀୟ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି ।

ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ସିଧାସଳଖ ସୂର୍ଯ୍ୟକିରଣ ଠାରୁ ଦୂରେଇ ରୁହନ୍ତୁ । ଚା, କଫି ଏବଂ ଥଣ୍ଡା ପାନୀୟ ପିଅନ୍ତୁ ନାହିଁ, କାରଣ ଏହା ଡିହାଇଡ୍ରେସନର କାରଣ ହୋଇପାରେ । ଚା, କଫି ଏବଂ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ ।

କୋଲ୍ଡ ଡ୍ରିଙ୍କ୍ସରେ ଅଧିକ ପରିମାଣର କ୍ୟାଫିନ୍ ଏବଂ ଚିନି ଥାଏ, ଯାହା ଶରୀରରୁ ଶୀଘ୍ର ପାଣି ବାହାର କରିପାରେ। ଏହା ଶରୀରର ଡିହ୍ରାଇଡ୍ରେସନର ଆଶଙ୍କା ବଢ଼ାଇଥାଏ । ଥଣ୍ଡା ପାନୀୟ ଶରୀରରେ ଆବଶ୍ୟକୀୟ ଖଣିଜ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟ୍ସ ହ୍ରାସ କରିପାରେ, ଯାହା ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ଦୁର୍ବଳତାର କାରଣ ହୋଇପାରେ ।