ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ହୃଦଘାତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ମାହାମାରୀ ପରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବେଶ୍ ବୃଦ୍ଧି ପାଇଛି । ଯୁବକ-ଯୁବତୀ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇ ପ୍ରାଣ ହରାଉଛନ୍ତି । ତେବେ ହୃଦଘାତ ଏବେ ଭୟଙ୍କର ହେଉଥିବା ବେଳେ ଏହାର ତୁରନ୍ତ ପ୍ରାଥମିକ ଉପଚାର ଏବଂ ଏ ସମ୍ପର୍କରେ ସୂଚନାର ଅଭାବ ପରିଲକ୍ଷିତ ହେଉଛି । ତେଣୁ ହୃଦଘାତ ସମସ୍ୟାକୁ ରୋକିବା ପାଇଁ ଆସିଛି ଏକ ଦମଦାର ଚିକିତ୍ସା ବ୍ୟବସ୍ଥା । ମାତ୍ର ୭ ଟଙ୍କା ଖର୍ଚ୍ଚରେ ହୃଦଘାତ ସମସ୍ୟାର ଚିକିତ୍ସା ମିଳିପାରିବ ।
କାନପୁରସ୍ଥିତ LPS କାର୍ଡିଓଲୋଜି ହସ୍ପିଟାଲର ବରିଷ୍ଠ କାର୍ଡିଓଲୋଜିଷ୍ଟ ଡା. ନୀରଜ କୁମାର ହୃଦଘାତକୁ ରୋକିବା ପାଇଁ ଶସ୍ତା ଏବଂ ପ୍ରଭାବଶାଳୀ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ହୃଦଘାତ ବିରୋଧରେ ସବୁଠାରୁ ସହଜ ‘ରାମ କିଟ୍’ର ନିର୍ମାଣ କରିଛନ୍ତି ଡା. ନୀରଜ । ଏହାର ମୂଲ୍ୟ ମାତ୍ର ୭ ଟଙ୍କା ଏବଂ ଏଥିରେ ହୃଦଘାତର ସ୍ଥିତିରେ ଦିଆ ଯାଉଥିବା ୩ଟି ଆବଶ୍ୟକୀୟ ଔଷଧ ସାମିଲ ରହିଛି । ଏକୋସ୍ପ୍ରିନ, ସୋର୍ବିଟ୍ରେଟ ଏବଂ ରୋସୁୱେସ ୨୦ ଏହି କିଟରେ ଉପଲବ୍ଧ ଥିବା ବେଳେ ଏହା ହୃଦଘାତ ସମସ୍ୟା ବିରୋଧରେ ସଞ୍ଜିବନୀ ଭଳି କାମ କରିପାରିବ । ଡା. ନୀରଜ କହିଛନ୍ତି ଯେ, ହୃଦଘାତ ଆସିବା ସମୟରେ ଯଦି ରୋଗୀ ଏହି ୩ଟି ଔଷଧ ସେବନ କରନ୍ତି, ତେବେ ଜୀବନ ବଞ୍ଚିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ ।
ଏହି କଟ୍ ର ନାମ ‘ରାମ କିଟ୍’ ରଖାଯାଇଛି । ଏହାଦ୍ୱାରା ରୋଗୀମାନଙ୍କୁ ଏହାର ନାମ ମନେ ରଖିବା ପାଇଁ ମଧ୍ୟ ଅସୁବିଦା ହେବ ନାହିଁ ଏବଂ ସଂକଟ ସମୟରେ ତୁରନ୍ତ ଏହାକୁ ବ୍ୟବହାର କରାଯାଇପାରିବ । ତେବେ ହୃଦଘାତ ସମୟରେ ଏହାକୁ ବ୍ୟବହାର କରିବା ମଧ୍ୟ ବେଶ୍ ସହଜ ହୋଇଥାଏ । ଏକୋସ୍ପ୍ରିନ ରକ୍ତକୁ ପତଳା କରିବାରେ ସହାୟକ ହୋଇଥାଏ, ଯାହାଦ୍ୱାରା ରକ୍ତପ୍ରବାହ ଠିକ ଭାବରେ ହୋଇଥାଏ । ସୋର୍ବିଟ୍ରେଟ ବଟିକା ହୃଦୟକୁ ତୁରନ୍ତ ରିଲାକ୍ସ କରୁଥିବା ବେଳେ ରୋସୁୱେସ ୨୦ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । ଏହିସବୁ ଔଷଧର ମିଶ୍ରଣ ଜୀବନ ରକ୍ଷକ ସାବ୍ୟସ୍ତ ହୋଇଥାଏ ।
ଡାକ୍ତର ନୀରଜ କୁମାର କହିଛନ୍ତି ଯେ ଏହି କିଟ୍ ନିୟମିତ ବ୍ୟବହୃତ ହେବା ଉଚିତ ନୁହେଁ, କେବଳ ହୃଦଘାତର ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ବ୍ୟବହାର କରାଯାଇପାରିବ । ଏହା ସହିତ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ମାନସିକ ଶାନ୍ତି ଦେବା ପାଇଁ ଧାର୍ମିକ ପୁସ୍ତକ ମଧ୍ୟ ପ୍ରଦାନ କରିଛନ୍ତି, ଯାହାଫଳରେ ସେମାନେ ଶାନ୍ତି ଏବଂ ସକରାତ୍ମକତା ଅନୁଭବ କରିପାରିବେ ।