fbpx

ରାଜ୍ୟରେ ଲଘୁଚାପ ପ୍ରଭାବ: ୮ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଯଦିଓ ବର୍ଷାର ପ୍ରଭାବ କମ୍ ରହିଛି ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିବ । ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ ବୋଲି ଆକଳନ କରାଯାଇଛି । ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ପଶ୍ଚିମ ଓଡ଼ିଶାର ଗୋଟିଏ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ମୌସୁମୀ ପ୍ରଭାବରେ ଜୁନ୍ ୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ କେତେ ବର୍ଷା ହୋଇଛି ସେନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଏହି ସମୟ ମଧ୍ୟରେ ସ୍ୱଭାବିକ ବର୍ଷା ଠାରୁ ୫% ଅଧିକ ବର୍ଷା ହୋଇଛି । ତେବେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୬୪୯.୯ ମି.ମି. ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ଠାରୁ ୫୧% ଅଧିକ ବୋଲି କୁହାଯାଉଛି । ସେହିପରି ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ମି.ମି. ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ଠାରୁ ୧୮% କମ୍ ବୋଲି କୁହାଯାଉଛି । ସେହିପରି ୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଦୁଇଦିନ ହେବ ଲଗାଣ ବର୍ଷା ଯୋଗୁ କନ୍ଧମାଳର ଅବସ୍ଥା ବେହାଲ ହୋଇପଡ଼ିଛି । ପୋଲ ଭୁଶୁଡ଼ି ପଡ଼ିବା ସହ ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି ।

Get real time updates directly on you device, subscribe now.