ଓଡ଼ିଶା ଭାସ୍କର: ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ । ଏହା ଆମର ଶାରୀରିକ, ମାନସିକ ଏବଂ ଭାବନାତ୍ମକ ବିକାଶ କରିଥାଏ । ତେଣୁ ମସ୍ତିଷ୍କର ଯତ୍ନ ନେବା ଆମ ପାଇଁ ଖୁବ ଜରୁରୀ ହୋଇଥାଏ । କାରଣ ଜଣେ ମଣିଷ ମସ୍ତିଷ୍କ ବିନା କୌଣସି କାର୍ଯ୍ୟ କରିପାରିବ ନାହିଁ । ବୟସରେ ବୃଦ୍ଧି ହେବା ସହିତ ମସ୍ତିଷ୍କ ମଧ୍ୟ କମଜୋର ହୋଇଯାଏ । ଏହାବ୍ୟତୀତ ମଣିଷର କିଛି ଖରାପ ଅଭ୍ୟାସ ମଧ୍ୟ ମସ୍ତିଷ୍କକୁ ଦୁର୍ବଳ କରିଦିଏ ।
ଅଳ୍ପ ନିଦ: ଆଜିକାଲି ଲୋକମାନେ ଅଧିକାଂଶ ସମୟରେ ଗ୍ୟାଜେଟର ବ୍ୟବହାରରେ ବ୍ୟସ୍ତ ରହିଥାନ୍ତି । ଫଳରେ ଅନେକ ସମୟରେ ଠିକ ଭାବରେ ଶୋଇ ପାରି ନଥାନ୍ତି । କିନ୍ତୁ ଯଥେଷ୍ଟ ସମୟ ଶୋଇବା ମଣିଷ ପାଇଁ ନିହାତି ଆବଶ୍ୟକ । ଠିକ ଭାବରେ ନ ଶୋଇଲେ ଏହା ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ଜୀବନରେ ଷ୍ଟ୍ରେସ ମଧ୍ୟ ବୃଦ୍ଧି ପାଇଥାଏ ।
ଖାଇବାର ଭୁଲ ଅଭ୍ୟାସ: ଅନେକ ସମୟରେ ଲୋକମାନେ ଅଧିକ ଖାଦ୍ୟ ଖାଇ ଦେଇଥାନ୍ତି । ଏହା ଆପଣଙ୍କୁ ଖୁସି ଦେଇପାରେ, କିନ୍ତୁ ଶରୀରକୁ ଏହାଦ୍ୱାରା ଅନେକ କ୍ଷତି ହୋଇଥାଏ । ଆପଣଙ୍କ ଖାଦ୍ୟରେ ଅଧିକ ମସାଲା, ଛଣା ହୋଇଥିବା ଖାଦ୍ୟ ଏବଂ ଚିନି ମିଶ୍ରିତ ଖାଦ୍ୟ ସାମିଲ ନ କରିବା ଉଚିତ୍ ।
ସିଗାରେଟ ଏବଂ ମଦ: ମଦ ଏବଂ ସିଗାରେଟ ନିଶା ମଣିଷର ମସ୍ତିଷ୍କ ପାଇଁ ଖୁବ କ୍ଷତିକାରକ । ଯେଉଁମାନେ ନିୟମିତ ଭାବରେ ଧୁମ୍ରପାନ ବା ମଦ୍ୟପାନ କରିତାନ୍ତି, ସେମାନଙ୍କ ମସ୍ତିଷ୍କରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଏହାସହିତ ସ୍ମୃତିଶକ୍ତି ମଧ୍ୟ ହ୍ରାସ ପାଇଥାଏ ।
ଅଧିକ ସମୟ ବସିବା: ଡେସ୍କରେ କାମ କରୁଥିବା ବ୍ୟକ୍ତିମାନେ ଅଧିକାଂଶ ସମୟ ପର୍ଯ୍ୟନ୍ତ ବସି ରହିଥାନ୍ତି । ଏହାଦ୍ୱାରା ସେମାନଙ୍କ ପୋଷ୍ଟର ଏବଂ ଶରୀର ଉଭୟ ଖରାପ ହୋଇ ଯାଇଥାଏ । ଏକ ପ୍ରକାର ପୋଜିସନ୍ ରେ ଅଧିକ ସମୟ ବସିବା ଦ୍ୱାରା ଶରୀରରେ ରକ୍ତଚାପ କମ୍ ହୋଇଥାଏ ଏବଂ ମସ୍ତିଷ୍କରେ ମଧ୍ୟ କ୍ଷତି ଦେଖିବାକୁ ମିଳିଥାଏ ।
ଅଧିକ ଫୋନ୍ ବ୍ୟବହାର: ମୋବାଇଲ ଫୋନ୍ ଅଧିକ ବ୍ୟବହାର କରିବା ମଧ୍ୟ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାଦ୍ୱାରା ମସ୍ତିଷ୍କ ଉପରେ ଚାପ ପଡ଼ିଥାଏ ଏବଂ ମଣିଷ ଚିନ୍ତାଗ୍ରସ୍ତ ରହିଥାଏ । ଫୋନ୍ ବହୁଳ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ କାମ କରିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଅସନ୍ତୁଳିତ ଅବସ୍ଥା, ନିଦ ନ ହେବା ଏବଂ ମସ୍ତିଷ୍କର ଅସ୍ଥିରତା ଇତ୍ୟାଦି ଫୋନ୍ ବ୍ୟବହାର କରିବା ଯୋଗୁଁ ହିଁ ହୋଇଥାଏ ।