ନୂଆଦିଲ୍ଲୀ: କାନାଡାର ବ୍ରାମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାନାଡ଼ାର ଏକ ହିନ୍ଦୁ ମନ୍ଦିର ଉପରେ ଉଦ୍ଦେଶ୍ୟମୂଳକ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ପ୍ରୟାସ ମଧ୍ୟ ସେତିକି ଭୟଙ୍କର। ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ଦୁର୍ବଳ କରିପାରିବ ନାହିଁ। ଆମେ ଆଶା କରୁଛୁ ଯେ କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ଶାସନକୁ ବଜାୟ ରଖିବେ।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ରବିବାର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “ଆଜି ବ୍ରାମ୍ପଟନର ହିନ୍ଦୁ ସଭା ମନ୍ଦିରରେ ହୋଇଥିବା ହିଂସା ଗ୍ରହଣୀୟ ନୁହେଁ। କାନାଡାର ପ୍ରତ୍ୟେକ ନାଗରିକଙ୍କର ନିଜର ଧାର୍ମିକ ବିଶ୍ୱାସକୁ ମୁକ୍ତ ଭାବରେ ଏବଂ ସମସ୍ତ ସୁରକ୍ଷିତ ଭାବରେ ପାଳନ କରିବାର ଅଧିକାର ରହିଛି। ଗତ କିଛି ଦିନ ହେବ ଭାରତ ଓ କାନାଡା ମଧ୍ୟରେ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ରହିଛି।
ଗତବର୍ଷ ଖଲିସ୍ତାନ ସମର୍ଥକ ନେତା ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା, ଯେଉଁଥିରେ କାନାଡା ସାର୍ବଜନୀନ ଭାବେ ଭାରତର ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା। ଏହି ବିବାଦ କାରଣରୁ ଉଭୟ ଦେଶ ଅକ୍ଟୋବରରେ ପରସ୍ପରର କିଛି କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ନିକଟରେ କାନାଡାର ଜଣେ ମନ୍ତ୍ରୀ ନିଜ୍ଜର ହତ୍ୟା ମାମଲାରେ ଭାରତର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ଘୋଷଣା କରିଥିଲେ।