fbpx

ଅମୃତପାଲ ସିଂହଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି, ସମସ୍ତ ବିମାନବନ୍ଦରରେ ବୃଦ୍ଧି ପାଇଲା ପୋଲିସ ଗାର୍ଡ

ନେପାଳ: ଖାଲିସ୍ଥାନ ସମର୍ଥକ ଅମୃତପାଲ ସିଂହ ଏବେ ମଧ୍ୟ ସୁରକ୍ଷା ଏଜେନ୍ସି କବଳ ବାହାରେ ଅଛନ୍ତି । ପଞ୍ଜାବ ପୋଲିସ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାତାର ଆକ୍ରମଣ କରୁଛନ୍ତି । ହେଲେ ସେ ଧରାପଡୁନାହାନ୍ତି । ଅମୃତପାଲ ସିଂହ ପଞ୍ଜାବରୁ ଫେରାର ହୋଇ ନୋପଳରେ ଲୁଚିବାର ଏକ ଗୁପ୍ତ ଖବର ମିଳିଛି । କୁହାଯାଉଛି ଯେ, ଭାରତରୁ ପଳାୟନ କରି ଅମୃତପାଲ ନେପାଳରେ ଲୁଚିଛନ୍ତି ଏବଂ ସେହିଠାରୁ ସେ ବିଦେଶ ଯିବାକୁ ପ୍ରୟାସ କରୁଛନ୍ତି ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ଦୂତାବାସ ନେପାଳ ସରକାରଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ।

ଭାରତୀୟ ଦୂତାବାସ ନେପାଳର ସୁରକ୍ଷାକର୍ମୀଙ୍କୁ ଅମୃତପାଲଙ୍କ ଭିନ୍ନ ଭିନ୍ନ ଫଟୋ ମଧ୍ୟ ପଠାଇଛନ୍ତି । ଭାରତୀୟ ଦୂତାବାସ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ସେ ନକଲି ପାସପୋର୍ଟ ବ୍ୟବହାର କରି ଯାତ୍ରା କରିପାରେ । ଅମୃତପାଲ ନେପାଳରୁ ଦୁବାଇ, କତର, ସିଙ୍ଗାପୁର, ବ୍ୟାଙ୍କଙ୍ଗ ଯିବାର ଖବର ମିଳିଛି । ତେବେ ଏହି ଦେଶ ମାନଙ୍କୁ ଯାଉଥିବା ବିମାନର ମଧ୍ୟ କଡା ଭାବେ ଯାଞ୍ଚ କରାଯାଉଛି ।

ଭାରତୀୟ ଗୁପ୍ତଚର ବିଭାଗର ଆଶଙ୍କା ରହିଛି ଯେ, ଅମୃତପାଲ ନକଲି ପାସପୋର୍ଟ ସାହାଯ୍ୟରେ ପାକିସ୍ତାନ ଦୂତାବାସ ସହାୟତାରେ ନେପାଳରୁ ଖସିଯିବାକୁ ଚେଷ୍ଟା କରିବେ। ଭାରତ ସରକାରଙ୍କ ଦ୍ୱାରା ସରକାରୀ ସୂଚନା ଦିଆଯିବା ପରେ ସମଗ୍ର ନେପାଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ଭାରତ ନିକଟରେ ଥିବା ସମସ୍ତ ସୀମାରେ ଚେକ୍ ଇନ୍ ପ୍ରକ୍ରିୟା କଡାକଡି କରାଯାଇଛି। ସନ୍ଦିଗ୍ଧଙ୍କ ଉପରେ ସ୍ୱତନ୍ତ୍ର ମନିଟରିଂ କରାଯାଉଛି। ଭାରତରୁ ଆସୁଥିବା ଲୋକଙ୍କ ପରିଚୟ ପତ୍ର ଯାଞ୍ଚ କରାଯାଉଛି। ସନ୍ଦେହ ଆଧାରରେ ନେପାଳର ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି।

କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଭାରାହାଠାରେ ଥିବା ଗୌତମ ବୁଦ୍ଧ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ସତର୍କ କରାଯାଇଛି। ଅମୃତପାଲଙ୍କ ଫଟୋ ନେପାଳର ସମସ୍ତ ହୋଟେଲ, ଗେଷ୍ଟ ହାଉସ୍ ଏବଂ ଲଜରେ ପ୍ରସାରିତ ହୋଇଛି। ତାଙ୍କୁ ଧରିବା ପାଇଁ ଗୁପ୍ତଚର ଏଜେନ୍ସିମାନେ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କୌଣସି ପରିସ୍ଥିତିରେ ବିଦେଶକୁ ପଳାଇବା ପୂର୍ବରୁ ତାଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି।

Get real time updates directly on you device, subscribe now.