ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ବୁକିଂ କରିବା ସହ ସ୍ଲିପ ପାଖରେ ରଖିଥିବେ ସେମାନେ ଚେକିଂରୁ ରକ୍ଷା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ପରେ ସେପ୍ଟେମ୍ବର ୩୦ ତାରିଖରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସମୟସୀମାକୁ ମାସେ ବୃଦ୍ଧି କରାଯାଇଥିଲା ।
ତେବେ ୧, ୨, ୩, ୪ ଶେଷ ଅଙ୍କ ଥିବା ନମ୍ବର ପ୍ଲେଟ୍ ଲଗାଇବା ସମୟସୀମା ଅକ୍ଟୋବର ୩୧ ତାରିଖରେ ସରିବ । ଏଥିପାଇଁ ଆଉ ମାତ୍ର ଚାରିଦିନ ସମୟ ରହିଛି । ତେଣୁ ଏହିସବୁ ଯାନ ପାଇଁ ପୁଣି ଥରେ ସମୟସୀମା ବୃଦ୍ଧି କରାଯିବ କି ନା ସେନେଇ ଜଣାଇବାକୁ ହାଇକୋର୍ଟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ଏହି ମାମଲାର ପରବତ୍ତୀ ଶୁଣାଣି ରହିଥିବା ବେଳେ ଏନେଇ ଜବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି ।
ଏବେ ବି ରାଜ୍ୟର ଅନେକ ସଂଖ୍ୟକ ଗାଡ଼ିରେ ନମ୍ବର ପ୍ଲେଟ ଲାଗି ପାରିନି । ତେଣୁ ଏନେଇ ଅଧିକ ସମୟର ଆବଶ୍ୟକତା ଥିବା ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ୧, ୨, ୩ ଓ ୪ ଶେଷ ଅଙ୍କ ଥିବା ଗାଡ଼ିଗୁଡ଼ିକରେ ନମ୍ବର ପ୍ଲେଟ ଆସନ୍ତା ୩୧ ତାରିଖ ସୁଦ୍ଧା ଲାଗିଯିବ । ଏଥିପାଇଁ ହାତରେ ଯଥେଷ୍ଟ ସମୟ ଥିବା ଏସଟିଏ ପକ୍ଷରୁ କୁହାଯାଇଥିଲା । ତେଣୁ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ନେଇଥିଲେ ହାଇକୋର୍ଟ ।
ଏବେ ନୂଆ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧, ୨, ୩ ଓ ୪ରେ ଶେଷ ହେଉଥିବ, ତାହାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ । ଶେଷ ଅଙ୍କ ୫, ୬ ଥିବା ଗାଡ଼ିର ଶେଷ ତାରିଖ ହେଉଛି ନଭେମ୍ବର ୩୦ ତାରିଖ । ଶେଷ ଅଙ୍କ ୭, ୮ ଥିବା ଗାଡ଼ିର ଶେଷ ତାରିଖ ହେଉଛି ଡିସେମ୍ବର ୩୧ ତାରିଖ । ଶେଷ ଅଙ୍କ ୯, ୦ ଥିବା ଗାଡ଼ିର ଶେଷ ତାରିଖ ହେଉଛି ୨୦୨୩ ମସିହା ଜାନୁଆରୀ ୩୧ ତାରିଖ । ଏହି ତାରିଖ ମଧ୍ୟରେ ଗାଡ଼ି ମାଲିକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଅଟେ ।