fbpx

ଶ୍ରୀଲଙ୍କା ସଙ୍କଟ: ଆକ୍ରମଣରେ ଭାରତୀୟ ଅଧିକାରୀ ଆହତ, ଉଚ୍ଚ ଆୟୋଗ ଦେଲେ ଉପଦେଶ

କଲମ୍ବୋ: ଶ୍ରୀଲଙ୍କାରେ ସଙ୍କଟଜନକ ପରିସ୍ଥିତି ଦିନକୁ ଦିନ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଦଙ୍ଗା, ବିରୋଧ ଏବଂ ବିକ୍ଷୋଭ ପରେ ଆକ୍ରମଣ ମଧ୍ୟଘନେଇଲାଣି । ଆଜି ଏଭଳି ଏକ ଆକ୍ରମଣରେ ଶ୍ରୀଲଙ୍କାରେ ନିୟୋଜିତ ହୋଇଥିବା ଭାରତର ଜଣେ ବରିଷ୍ଠ ଅଧିକାରୀ ଆହତ ହୋଇଥିବା ଜଣାଯାଇଛି । ବିନା କାରଣରେ ହୋଇଥିବା ଏହି ଆକ୍ରମଣରେ ଅଧିକାରୀ ଜଣକ ଗୁରୁତର ହୋଇଛନ୍ତି । ତେବେ ଏହି ଘଟଣା ପରେ ଭାରତୀୟ ନାଗରିକମାନଙ୍କୁ ଉପଦେଶ ଜାରି କରିଛନ୍ତି ଉଚ୍ଚ ଆୟୋଗ ।

ଶ୍ରୀଲଙ୍କାରେ ଥିବା ତାଜା ପରିସ୍ଥିତି ଉପରେ ଅବଗତ ରହିବା ସହିତ ଏହାକୁ ଲକ୍ଷ୍ୟ କରି ପଦକ୍ଷେପ ଗ୍ରହଣ କରିବା ଏବଂ ଅନ୍ୟାନ୍ୟ ଗତିବିଧି ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଉଚ୍ଚ ଆୟୋଗ ପରାମର୍ଶ ଦେଇଛନ୍ତି । ଟ୍ୱିଟ ଯୋଗେ ଉଚ୍ଚ ଆୟୋଗ କହିଛନ୍ତି ଯେ, ଭାରତ ଏବଂ ଶ୍ରୀଲଙ୍କାର ନାଗରିକମାନଙ୍କ ମଧ୍ୟରେ ସର୍ବଦା ଏକ ମିତ୍ରତା ଏବଂ ଆନ୍ତରିକତାର ସମ୍ପର୍କ ରହିଛି । ତେଣୁ ବର୍ତ୍ତମାନର ସ୍ଥିତିରେ ଶ୍ରୀଲଙ୍କାରେ ଥିବା ଭାରତୀୟ ନାଗରିକଙ୍କୁ ଏ ନେଇ ଅନୁରୋଧ କରିଛନ୍ତିି ଉଚ୍ଚ ଆୟୋଗ । ଏଥି ସହିତ ଆବଶ୍ୟକ ସ୍ଥଳରେ ଉଚ୍ଚ ଆୟୋଗ ସହ ସମ୍ପର୍କ କରିବା ପାଇଁ ମଧ୍ୟ ସେ ଟ୍ୱିଟରେ ପ୍ରକାଶ କରିଛନ୍ତି ।

ସେହିପରି ଆକ୍ରମଣରେ ଆହତ ହୋଇଥିବା ଭାରତୀୟ ନାଗରିକ ତଥା ଭାରତୀୟ ଭିସା କେନ୍ଦ୍ରର ନିର୍ଦ୍ଦେଶକ ବିବେକ ବର୍ମାଙ୍କୁ ଭେଟିଥିବା ନେଇ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଉଚ୍ଚ ଆୟୋଗ । ଶ୍ରୀଲଙ୍କା ଅଧିକାରୀଙ୍କୁ ମଧ୍ୟ ଏହି ମାମଲା ନେଇ ଅବଗତ କରାଯାଇଛି । ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ପରେ ବିକ୍ରମାସିଙ୍ଘେ ଗତ ଶୁକ୍ରବାର କାର୍ଯ୍ୟବାହକ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.