ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ SSBକୁ ଚିଠି: ୬୦ ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କ ନିଯୁକ୍ତି ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଚାକିରି ଋତୁ ଚାଲିଛି । ବିଭିନ୍ନ ପଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ସହିତ ଯୋଗ୍ୟ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଯୁକ୍ତି ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରୁଛନ୍ତି । ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି), ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ (ଓସିସିଏଲ) ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ଏହା ମଧ୍ୟରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର । ରାଜ୍ୟରେ ପୁଣି ୬୦ ଜଣ ଜୁନିୟର ଆସିଷ୍ଟାଣ୍ଟ ବା କନିଷ୍ଠ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ନିକଟକୁ ଚିଠି ଲେଖାଯାଇଛି । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଏହି ନିଯୁକ୍ତି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚଏସ)ରେ ୬୦ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ଏସଏସବି ଏହି ନିଯୁକ୍ତି ପାଇଁ ପରିଚାଳନା କରିବ । ଓଆରଏସପି ନିୟମ ଲେବଲ-୪ ଅନୁସାରେ ସେମାନଙ୍କୁ ନିଯୁକ୍ତି ଦିଆଯିବ ଓ ଦରମା ୧୯,୯୦୦ରୁ ୬୩,୨୦୦ ଟଙ୍କା ରହିବ । ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ଓୟୁଏଚଏସ କୁଳସଚିବ ଏସଏସବିକୁ ଅନୁରୋଧ କରିଥିଲେ । ଏହାକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଏସବି ନିକଟକୁ ଚିଠି ଲେଖାଯାଇଛି । ଏହା ପୂର୍ବରୁ ଗତ ନଭେମ୍ବର ମାସରେ ୧୩୮ ଜଣ ନୂଆ ପଦକୁ ମଞ୍ଜୁରୀ ମିଳିଥିଲା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କୁଳପତି, ରେଜିଷ୍ଟ୍ରାର, ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ, ପାଠ୍ୟ ଖସଡ଼ା ନିର୍ଦ୍ଦେଶକ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ସମେତ ଅନେକ ପଦକୁ ମଞ୍ଜୁରୀ ମିଳିଥିଲା ।