fbpx

ବଡ଼ ଅଘଟଣ: ଚିଲିକାରେ ଫସିଲେ କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ପିକନିକ୍ ସିଜିନ ଚାଲିଥିବା ବେଳେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଚିଲିକାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥାଏ । ଅନେକ ସମୟରେ ଡଙ୍ଗାରେ ଯାଉଥିବା ସମୟରେ ଅନେକ ଯାତ୍ରୀ ଚିଲିକା ଜଳରାଶିରେ ଫଶି ଯାଇଥାନ୍ତି । ଏପରି ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଆଜି ଏକ ବଡ଼ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଚିଲିକାରେ ଫଶିଯାଇଛନ୍ତି କେନ୍ଦ୍ର ମତ୍ସ୍ୟ ସମ୍ପଦ ଓ ପଶୁପାଳନ ମନ୍ତ୍ରୀ ପର୍ଶୋତ୍ତମ ରୁପାଲା । ବଡ଼ମୂଳରୁ ସାତପଡ଼ା ଅଭିମୂଖେ କେନ୍ଦ୍ରମନ୍ତ୍ରୀ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଚିଲିକାର ନଳବଣ ନିକଟରେ ୨ ଘଣ୍ଟା ହେଲା କେନ୍ଦ୍ରମନ୍ତ୍ରୀ ଫଶିଥିବା ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀଙ୍କୁ ଉଦ୍ଧାର ପାଇଁ ସେମାନଙ୍କ ନିକଟରେ ୨ଟି ଡଙ୍ଗା ପହଞ୍ଚିଛି । ବାଲୁଗାଁରୁ ସାତପଡ଼ା ଆସୁଥିବା ବେଳେ ଡଙ୍ଗା ମେଶିନରେ ଜାଲ ଲାଗିଯିବା ଫଳରେ ଡଙ୍ଗା ଅଚଳ ହୋଇଯାଇଥିଲା । ଡଙ୍ଗାର ନାଁ ‘କାଳିଜାଈ’ ବୋଲି ଜଣାପଡ଼ିଛି ।

ଅରଖକୁଦା ଗାଁରେ ସାଗର ପରିକ୍ରମ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦେବାର ଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ୧୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ଫଶି ରହିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥରେ ପୋଲିସ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସିଡିଏର ଦୁଇଟି ଡଙ୍ଗା ଓ ଅଗ୍ନିଶମ ବାହିନୀ ଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୪ ତାରିଖଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଥିଲା । ଉକ୍ତ ଗଣନା କାର୍ଯ୍ୟରେ ୨୧ଟି ଟିମ୍ ନିୟୋଜିତ ହେବା ସହିତ ମୋଟ ୧୧୮ ଜଣ କର୍ମଚାରୀ ସାମିଲ ଥିଲେ ।

Get real time updates directly on you device, subscribe now.