fbpx

ଭାରତୀୟ ନୋଟ୍ ଉପରେ ଛପା ଯାଇଛି ମନ୍ଦିର, ଉପଗ୍ରହ ଏବଂ ଡ୍ୟାମର ଫଟୋ, ଜାଣନ୍ତୁ କରେନ୍ସିର ପୂରା ଇତିହାସ

ନୂଆଦିଲ୍ଲୀ: ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧୀଙ୍କ ସହ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ରହୁ ବୋଲି ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ଦେଶରେ ବିତର୍କ ଆରମ୍ଭ ହୋଇ ଯାଇଛି। ଏହା ପୂର୍ବରୁ ଦେଶର ଅଲଗା ଅଲଗା ନୋଟରେ କେବଳ ମନ୍ଦିର ନୁହେଁ ଉପଗ୍ରହ, ଡ୍ୟାମ, ଉଦ୍ୟାନର ଫଟୋ ମଧ୍ୟ ଛପି ସାରିଛି। ଆସନ୍ତୁ ଜାଣିବା ନୋଟ୍ ଏବଂ ଏହା ଉପରେ ଛପୁଥିବା ଫଟୋର ଇତିହାସ ବିଷୟରେ।

ଦେଶରେ କାଗଜ ମୁଦ୍ରାର କେବେ ପ୍ରଚଳନ ହେଲା
ଭାରତରେ କାଗଜ ମୁଦ୍ରାର ପ୍ରଚଳନ ୧୭୭୦ ମସିହାରେ ଆରମ୍ଭ ହୋଇଥିଲା। ପ୍ରଥମ ଥର ବ୍ୟାଙ୍କ ଅଫ ହିନ୍ଦୁସ୍ଥାନ ଟଙ୍କାକୁ ନୋଟ୍ ଭାବେ ଛାପିଥିଲା। ସେହି ସମୟରେ ଏହି ନୋଟ୍ କୋଲକାତାରେ ଛପା ଯାଇଥିଲା। ବ୍ରିଟିଶ ଶାସନ ଅମଳରେ ପ୍ରଥମ ଥର କାଗଜ ନୋଟ୍ ୧୯୧୭ରେ ଛପା ଯାଇଥିଲା। ସେହି ପରି ୧୯୨୮ରେ ମହାରାଷ୍ଟ୍ରର ନାସିକରେ ନୋଟ୍ ଛାପିବାକୁ ଅନୁମତି ମିଳିଥିଲା।

ଆରବିଆଇର ପ୍ରଥମ ନୋଟରେ କାହାର ଫଟୋ ରହିଥିଲା ?
ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ଥାପନା ୧୯୩୫ ଏପ୍ରିଲ ୧ରେ ହୋଇଥିଲା। ଏହାର ତିନି ବର୍ଷ ପରେ ୧୯୩୮ ଜାନୁଆରୀରେ ଆରବିଆଇ ପ୍ରଥମ ଥର ପାଞ୍ଚ ଟଙ୍କିଆ ନୋଟ୍ ଜାରି କରିଥିଲା। ନୋଟ୍ ଉପରେ କିଙ୍ଗ ଜର୍ଜ ଷଷ୍ଠଙ୍କ ଫଟୋ ପ୍ରକାଶ ପାଇଥିଲା।

ସ୍ଵାଧୀନ ଭାରତର ପ୍ରଥମ ନୋଟ୍ କଣ ଥିଲା ?
ସ୍ଵାଧୀନତା ପରେ ଭାରତୀୟ ମୁଦ୍ରାରେ କିଛି ପରିବର୍ତ୍ତନ କରାଯାଇଥିଲା ଏବଂ ନୂତନ ନୋଟ୍ ଛପା ଯାଇଥିଲା। ସ୍ଵାଧୀନତା ପରେ ଦେଶରେ ପ୍ରଥମେ ଏକ ଟଙ୍କିଆ ନୋଟ୍ ଛପା ଯାଇଥିଲା। ଏହି ନୋଟକୁ ଭାରତୀୟ ମୁଦ୍ରା ରୂପେ ୧୯୪୯ ଅଗଷ୍ଟ ୧୨ରେ ଜାରି କରାଯାଇଥିଲା। ନୋଟ୍ ଉପରେ ଅଶୋକ ସ୍ତମ୍ଭର ଚିତ୍ର ପ୍ରକାଶ ପାଇଥିଲା।

ମହାତ୍ମା ଗାନ୍ଧୀଙ୍କ ଫଟୋ ପ୍ରଥମ ଥର କେବେ ଛପା ଯାଇଥିଲା ?
ଆରବିଆଇ ନୋଟ୍ ଉପରେ ପ୍ରଥମ ଥର ମହାତ୍ମା ଗାନ୍ଧୀଙ୍କ ଫଟୋ ତାଙ୍କ ଜନ୍ମ ଶତାବ୍ଦୀ ବର୍ଷ ୧୯୬୯ରେ ଛାପିଥିଲା। ଫଟୋର ଅନ୍ୟ ପାର୍ଶ୍ଵରେ ସେବାଗ୍ରାମ ଆଶ୍ରମ ବି ରହିଥିଲା।

ନୋଟ୍ ଉପରେ କେଉଁ କେଉଁ ଫଟୋ ଛପା ଯାଇଥିଲା
ଦେଶ ସ୍ଵାଧୀନ ପରେ ୧୯୪୯ରେ ଏକ ଟଙ୍କିଆ ନୋଟ୍ ଜାରି ହେବା ପରେ ଏଥିରେ ଅନେକ ପରିବର୍ତ୍ତନ କରାଯାଇଥିଲା। ଏହି ନୋଟରେ ଗେଟଓ୍ଵେ ଅଫ ଇଣ୍ଡିଆ, ବୃହଦେଶ୍ଵର ମନ୍ଦିରର ଚିତ୍ର ମଧ୍ୟ ଛପା ଯାଇଥିଲା। ୧୯୫୪ରେ ୧୦୦୦, ୫୦୦୦ ଏବଂ ୧୦,୦୦୦ ଟଙ୍କିଆ ନୋଟ୍ ଛପା ଯାଇଥିଲା। ଏଥିରୁ ୧୦୦୦ ଟଙ୍କିଆ ନୋଟରେ ତଞ୍ଜୋର ମନ୍ଦିର, ୫୦୦୦ ଟଙ୍କିଆ ନୋଟରେ ଗେଟଓ୍ଵେ ଅଫ ଇଣ୍ଡିଆ ଏବଂ ୧୦୦୦୦ ଟଙ୍କିଆ ନୋଟରେ ଲାୟନ କ୍ୟାପିଟାଲ, ଅଶୋକ ସ୍ତମ୍ଭ ଫଟୋ ରହିଥିଲା।

ଏକ ଟଙ୍କିଆ ନୋଟରେ ଅଏଲ ରିଗ, ଦୁଇ ଟଙ୍କିଆ ନୋଟରେ ଆର୍ଯ୍ୟଭଟ୍ଟ ଉପଗ୍ରହ, ପାଞ୍ଚ ଟଙ୍କିଆ ନୋଟରେ କୃଷି ଉପକରଣ, ୧୦ ଟଙ୍କିଆ ନୋଟରେ ଜାତୀୟ ପକ୍ଷୀ ମୟୂର, ୨୦ ଟଙ୍କିଆ ନୋଟ ଉପରେ କୋଣାର୍କର ସୂର୍ଯ୍ୟ ମନ୍ଦିରର ରଥ ଚକ ଏବଂ କାଶ୍ମୀରର ଶାଲିମାର ବାଗ ଏବଂ ୧୦୦ ଟଙ୍କିଆ ନୋଟରେ ହୀରାକୁଦ ଡ୍ୟାମର ଫଟୋ ଛପା ଯାଇଥିଲା।

ଟାଗୋର ଏବଂ କଲାମଙ୍କ ଫଟୋ ଉପରେ ଆଲୋଚନା
ଚଳିତ ବର୍ଷ ଜୁନରେ ଆରବିଆଇ ରବୀନ୍ଦ୍ର ନାଥ ଟାଗୋର ଏବଂ ଡ. ଏପିଜେ ଅବଦୁଲ କଲାମଙ୍କ ଫଟୋ ଥିବା ନୋଟ୍ ଜାରି କରିବା ଉପରେ ବିଚାର କରିଥିଲା। ଏହା ମଧ୍ୟ କୁହାଯାଇଛି ଯେ, ଅର୍ଥ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ସିକ୍ୟୁରିଟି ପ୍ରିଟିଂ ଆଣ୍ଡ ମିଟିଂ କର୍ପୋରେସନ ଅଫ ଇଣ୍ଡିଆ ଟାଗୋର, ମହାତ୍ମା ଗାନ୍ଧୀ ଏବଂ କଲାମଙ୍କ ଓ୍ଵାଟରମାର୍କ ଥିବା ଦୁଇ ସେଟ ଆଇଆଇଟି ଦିଲ୍ଲୀକୁ ପଠାଇଥିଲା। ଆଉ ଏହି ଦୁଇ ସେଟ ଚୟନ କରାଯିବାକୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆରବିଆଇ ଏହାକୁ ଅଗ୍ରାହ୍ୟ କରି ଦେଇଥିଲା।

ନୋଟ୍ କିମ୍ବା ଏହା ଉପରେ ଫଟୋ ଛପା ଯିବାର ନିୟମ
ଆରବିଆଇ ଆକ୍ଟ ୧୯୩୪ର ସେକ୍ସନ ୨୫ ଆଧାରରେ କେନ୍ଦ୍ରୀୟ ବ୍ୟାଙ୍କ ଏବଂ କେନ୍ଦ୍ର ସରକାର ମିଶି ନୋଟ୍ ଏବଂ ଏହା ଉପରେ ଫଟୋ ଛାପିବାର ନିଷ୍ପତ୍ତି ନେଇଥାନ୍ତି। ଏହା ଉପରେ କଣ ପରିବର୍ତ୍ତନ କରାଯିବ ଯୁଗ୍ମ କମିଟି ଏହା ଉପରେ ନିଷ୍ପତ୍ତି ନିଅନ୍ତି।

Get real time updates directly on you device, subscribe now.