fbpx

ହକି ମହାସମର: ଦୁଲୁକିବ କଳିଙ୍ଗ, ବିର୍ସା ମୁଣ୍ଡା ଷ୍ଟାଡିୟମ, ୧୬ଟି ଟିମ୍ ଖେଳିବେ ୪୪ଟି ମ୍ୟାଚ୍‌, ଦୁଇ ଓଡ଼ିଆ ଖେଳାଳିଙ୍କ ଉପରେ ନଜର

Advertisement

ଭାସ୍କର ନ୍ୟୁଜ୍‌: ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ପ୍ରତୀକ୍ଷାର ଅନ୍ତଃ ଘଟିବାକୁ ଯାଉଛି। ଶୁକ୍ରବାରଠାରୁ ଆରମ୍ଭ ହେଉଛି ହକି ମହାସମର। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ ସହ ଖେଳାଳିମାନେ ମଧ୍ୟ ପ୍ର୍‌ସ୍ତୁତ। ଏହି ହକି ମ୍ୟାଚ୍ ପାଇଁ ଉଭୟ ସହରରେ ସୁରକ୍ଷା ବ୍ୟବସ୍ଥାନୁ କଡ଼ାକଡି କରାଯାଇଛି। ଶୁକ୍ରବାର ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ପୁରୁଷ ବିଶ୍ୱ ହକିକପ୍‌ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ସମସ୍ତଙ୍କ ନଜର ଦୁଇ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ଉପରେ କେନ୍ଦ୍ରୀଭୂତ ହୋଇଛି।

ଭାରତୀୟ ଟିମ୍‌ରେ ଉପ ଅଧିନାୟକ ଭାବେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ପ୍ରଥମ ଦିନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଇଂଲଣ୍ଡ ବନାମ ୱେଲ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟା ୭ଟାରେ ଭାରତ ବନାମ ସ୍ପେନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି କଳିଙ୍ଗ ଷ୍ଟାଡିୟମରେ ଦିନ ୧ଟାରେ ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଅପରାହ୍ନ ୩ଟାରେ ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

ଏଥିପାଇଁ ଦୁଇ ଷ୍ଟାଡିୟମ ସଂପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇ ରହିଛି। ଏହି ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ୧୩ ଅତିରିକ୍ତ ଡିସିପି, ୩୩ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ଏସ୍‌ଆଇ ଏବଂ ଏଏସ୍‌ଆଇ ଏବଂ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍‌କୁ ନିୟୋଜିତ କରାଯାଇଛି। ସେହିପରି ରାଉରକେଲାରେ ୫୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି। ଏହି ମ୍ୟାଚ୍ ପାଇଁ ଦୁଇ ସହର ଚଳଚଞ୍ଚଳ ହୋଇ ଉଠିଛି । ବିଶେଷକରି ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀବ ଖେରଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ।

୧୬ଟି ଟିମ୍ ୪୪ଟି ମ୍ୟାଚ୍ ଖେଳିବେ। ଏହି ହକି ବିଶ୍ୱକପ୍ ଓଡ଼ିଶା ତଥା ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଭାରତୀୟ ଟିମ୍‌ ୧୯୭୫ ମସିହାରେ ହକି ବିଶ୍ୱକପ୍‌ ଟ୍ରଫି ହାତେଇଥିବାବେଳେ ଏଥର ମଧ୍ୟ ଭାରତ ପାଖରେ ଆଉଏକ ସୁଯୋଗ ଆସି ପହଞ୍ଚିଛି। ନିଜ ମାଟିରେ ଖେଳି ଦଳ ଟ୍ରଫିକୁ ବେଶ୍ ସହଜରେ ହାତେଇ ପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଦଳରେ ଏଭଳି ପାଞ୍ଚଜଣ ଷ୍ଟାର ଖେଳାଳି ରହିଛନ୍ତି, ଯେଉଁମାନଙ୍କ ପ୍ରଦର୍ଶନ ହିଁ ଭାରତକୁ ଏଥର ବିଶ୍ୱକପ୍‌ରେ ଚାମ୍ପିଅନ୍ କରିପାରିବ।

ଏହି ଷ୍ଟାର ଖେଳାଳିମାନେ ହେଲେ କ୍ୟାପଟେନ ହରମନପ୍ରୀତ ସିଂ, ଆକାଶଦୀପ ସିଂ, ମନପ୍ରୀତ ସିଂ, ମନଦୀପ ସିଂ ଓ ପି.ଆର.ଶ୍ରୀଜେସ୍। ହରମନପ୍ରୀତ ୨୦୧୮ ହକି ବିଶ୍ୱକପ୍‌ରେ ମଧ୍ୟ ଖେଳି ସାରିଥିବାବେଳେ ଏବେ ଭାରତୀୟ ଟିମ୍‌ର ଅଧିନାୟକ ଦାୟିତ୍ୱରେ ରହିଛନ୍ତି। ଏଥିପୂର୍ବରୁ ବୁଧବାର ବାରବାଟୀ ଷ୍ଟାଡିୟମରେ ଏହାର ଉଦ୍‌ଘାଟନୀ ସମାରୋହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ତେବେ ଓଡ଼ିଶା ଯେଭଳି ଏହି ହକି ବିଶ୍ୱକପ୍‌ର ଆୟୋଜନ କରିଛି ତାହା ଆଉ କେଉଁଠାରେ ଦେଖିବାକୁ ମିଳିନାହିଁଁ ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

Get real time updates directly on you device, subscribe now.