fbpx

ହକି ବିଶ୍ୱକପ୍‍: ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମ୍‍ରେ ଇଂଲଣ୍ଡକୁ ଭେଟିବ ଭାରତ

ରାଉରକେଲା: ପୁରୁଷ ହକି ବିଶ୍ୱକପରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଥିବା ଘରୋଇ ଦଳ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ଓଡ଼ିଶାରେ ଆୟୋଜିତ ହକି ବିଶ୍ୱକପ୍‍ର ଏହି ମ୍ୟାଚ୍‍ ଆଜି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ। ଗ୍ରୁପ୍‍-ଡିରେ ଥିବା ଉଭୟ ଦଳ ନିଜର ପ୍ରଥମ ମ୍ୟାଚ୍‍ ଜିତି ସାରିଥିବାରୁ ଏହି ଲଢ଼େଇ ଜୋର୍‍ଦାର ହେବା ଆଶା କରାଯାଉଛି। ବିଶ୍ୱ ର‌୍ୟାଙ୍କିରେ ଇଂଲଣ୍ଡ ୫ମ ସ୍ଥାନରେ ଥିବାବେଳେ ଭାରତ ୬ଷ୍ଠ ସ୍ଥାନରେ ରହିଛି।

ସେହିପରି ଚଳିତ ବିଶ୍ୱକପ୍‍ରେ ଇଂଲଣ୍ଡ ପ୍ରତିପକ୍ଷ ୱେଲସ୍‍କୁ ୫-୦ରେ ହରାଇ ଟେବୁଲ୍‍ ଟପରେ ରହିଛି। ଭାରତ ମଧ୍ୟ ପ୍ରଥମ ମ୍ୟାଚରେ ସ୍ପେନ୍‍କୁ ହରାଇ ସାରିଛି। କିନ୍ତୁ ଗୋଲ ବ୍ୟବଧାନ ୨-୦ ଥିବାରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଆଜି ମ୍ୟାଚ୍‍ ଯଦି ଭାରତ ଜିତେ ତେବେ ଟେବୁଲ ଟପରେ ପହଞ୍ଚିବ। ଏଥିସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରି ନକ୍‍ଆଉଟ୍‍ ପାଇଁ ଯୋଗ୍ୟତା ପାଇବ । ଇଂଲଣ୍ଡ ମଧ୍ୟ ସିଧାସଳଖ ନକ୍‍ଆଉଟ୍‍ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

ନିୟମ ଅନୁସାରେ ଗ୍ରୁପ୍‍ର ଶୀର୍ଷ ସ୍ଥାନରେ ରହୁଥିବା ଦଳ ସିଧାସଳଖ କ୍ୱାଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଘରୋଇ ପରିବେଶରେ ବିଶ୍ୱକପ୍‍ ଖେଳୁଥିବା ଭାରତୀୟ ଦଳ ପ୍ରଥମ ମ୍ୟାଚ୍‍ରେ ଉତ୍ତମ ପ୍ରଦର୍ଶନ କରିଥିଲା। ଓଡ଼ିଆ ପୁଅ ଅମିତରୋହି ଦାସ ପ୍ରାରମ୍ଭିକ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‍ରେ ଆଜି ଅପରାହ୍ଣ ୫ଟାରେ ସ୍ପେନ୍‍ ଓ ୱେଲ୍ସ ପରସ୍ପରକୁ ଭେଟିବେ । ନବନିର୍ମିତ ଏହି ଷ୍ଟାଡିୟମ୍‍ରେ ଉଭୟ ମ୍ୟାଚ୍‍ ଦେଖିବା ପାଇଁ ଓଡ଼ିଶାର ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗିରହିଛି ।

Get real time updates directly on you device, subscribe now.