fbpx

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନକୁ ନେଇ କାହିଁକି କଂଗ୍ରେସ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ଏବଂ ଜମ୍ମୁ-କଶ୍ମୀରର ନ୍ୟାସନାଲ କନଫରେନ୍ସ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଗୃହମନ୍ତ୍ରୀ ଲେଖିଛନ୍ତି, ଧାରା ୩୭୦ ଓ ୩୫ଏ କୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କଂଗ୍ରେସ ଓ ଜେକେଏନସିକୁ ସମର୍ଥନ କରୁଥିବା କଥା ପୁଣି ଥରେ କଂଗ୍ରେସକୁ ପଦାରେ ପକାଇଛି। ଏହି ବୟାନ ପୁଣି ଥରେ ସ୍ପଷ୍ଟ କରିଛି ଯେ କଂଗ୍ରେସ ଏବଂ ପାକିସ୍ତାନର ଉଦ୍ଦେଶ୍ୟ ମଧ୍ୟ ସମାନ ଏବଂ ଏଜେଣ୍ଡା ମଧ୍ୟ ସମାନ। ଗତ କିଛି ବର୍ଷ ଧରି ରାହୁଲ ଗାନ୍ଧି ପ୍ରତ୍ୟେକ ଭାରତୀୟ ବିରୋଧୀ ଶକ୍ତିଙ୍କ ସହ ଠିଆ ହୋଇ ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି।

ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ୍ ଷ୍ଟ୍ରାଇକ୍ ର ପ୍ରମାଣ ମାଗିବା ହେଉ କିମ୍ବା ଭାରତୀୟ ସେନା କୁ ନେଇ ଆପତ୍ତିଜନକ କଥା କହିବା ହେଉ, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦଳ ଓ ପାକିସ୍ତାନର ସ୍ୱର ସବୁବେଳେ ସମାନ ରହିଛି ଏବଂ କଂଗ୍ରେସର ହାତ ସବୁବେଳେ ଦେଶ ବିରୋଧୀ ଶକ୍ତିଙ୍କ ପାଖରେ ରହିଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। କିନ୍ତୁ କଂଗ୍ରେସ ଦଳ ଓ ପାକିସ୍ତାନ ଭୁଲି ଯାଆନ୍ତି ଯେ କେନ୍ଦ୍ରରେ ମୋଦି ସରକାର ଅଛି, ତେଣୁ କାଶ୍ମୀରରେ ଧାରା ୩୭୦ କିମ୍ବା ଆତଙ୍କବାଦ ଫେରିବ ନାହିଁ। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମେଣ୍ଟ କରିଛନ୍ତି। ନ୍ୟାସନାଲ କନଫରେନ୍ସ ନିଜର ନିର୍ବାଚନୀ ସଭାରେ ଧାରା ୩୭୦ ଓ ୩୫ଏ ଫେରାଇ ଆଣିବା କଥା କହୁଛି।

ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫଙ୍କୁ ପଚରାଯାଇଥିଲା ଯେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ବିଧାନସଭା ନିର୍ବାଚନରେ ଧାରା ୩୭୦ ଏବଂ ୩୫ଏ ଫେରାଇ ଆଣିବା କଥା କହୁଛନ୍ତି, ଆପଣ ଭାବୁଛନ୍ତି କି ଏହା ସମ୍ଭବ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ମୁଁ ଭାବୁଛି ଏହା ସମ୍ଭବ। ଏହି ବିଷୟକୁ ନେଇ ଉପତ୍ୟକାବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ମୁଁ ଭାବୁଛି ଏହି ମେଣ୍ଟ କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ସେମାନେ ୩୭୦ ଓ ୩୫ଏକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି।

Get real time updates directly on you device, subscribe now.