fbpx

ଅଡୁଆରେ ହନି ସିଂ: ସ୍ତ୍ରୀ ଆଣିଲେ ଘରୋଇ ହିଂସା ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡର ବିବାଦୀୟ ରାପର ହନି ସିଂ ପୁଣି ଥରେ ଅଡୁଆରେ ପଡିଛନ୍ତି । ହନିଙ୍କ ପତ୍ନୀ ଶାଲିନୀ ତଲୱାର ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ତିସ ହଜାରୀ କୋର୍ଟର ମାଜିଷ୍ଟ୍ରେଟ ତାନିୟା ସିଂଙ୍କ ନିକଟରେ ଶାଲିନୀ ଅଭିଯୋଗ କରିଥିବା ଜଣାପଡିଛି । ସନ୍ଦୀପ କପୁର, ଜିଜି କଶ୍ୟପ ଏବଂ ଅପୂର୍ବା ପାଣ୍ଡେ ଏହି ମାମଲା ଲଢୁଥିବା ବେଳେ କୋର୍ଟଙ୍କ ପକ୍ଷରୁ ହନି ସିଂହଙ୍କ ନାମରେ ଏକ ନୋଟିସ ଜାରି କରାଯାଇଛି । ଆସନ୍ତା ୨୮ ଅଗଷ୍ଟ ପୂର୍ବରୁ ଏହି ମାମଲାରେ ନିଜର ପକ୍ଷ ରଖିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶାଳିନୀ ନିଜ ଅଭିଯୋଗରେ ଶାରୀରିକ ହିଂସା, ଯୌନ ନିର୍ଯାତନା, ମାନସିକ ଉତ୍ପୀଡନ ଏବଂ ଆର୍ଥିକ ହିଂସା ଭଳି ଗମ୍ଭୀର ଆରୋପ ଆଣିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିବାଦ ହନି ସିଂଙ୍କ ପାଇଁ ନୂଆ ନୁହେଁ । କ୍ୟାରିୟରର ଶ୍ରେଷ୍ଠ ସମୟରେ ନିଶା ସେବନ କରି ବଲିଉଡରୁ ଦୂରେଇ ରହିଥିବା ବେଳେ ନିଜ ରାପରେ ଅଶ୍ଲୀଳ ଶବ୍ଦର ଉପଯୋଗ କରି ଏକାଧିକ ଥର ବିବାଦ ଘେରକୁ ଆସିଛନ୍ତି । ଅଶ୍ଲୀଳ ଲିରିକ୍ସକୁ ନେଇ ବଲିଉଡ ବାଦଶାହା ଶାହରୁଖ ଖାନଙ୍କ ସହିତ ମଧ୍ୟ ହନି ସିଂଙ୍କ ମତଭେଦ ଓ ଯୁକ୍ତିତର୍କ ହୋଇଥିଲା ।

Get real time updates directly on you device, subscribe now.