ମଝି ଆକାଶରେ ବଡ଼ ଅଘଟଣ: ହଟ୍ ଏୟାର ବେଲୁନରେ ନିଆଁ ଲାଗି ୮ ମୃତ, ୧୩ ଗୁରୁତର

ବ୍ରାସିଲିଆ,୨୧ା୬: ବ୍ରାଜିଲରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ୍ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଗୁରୁତର ହୋଇଛନ୍ତି ।

ଏହି ଭୟଙ୍କର ଦୁର୍ଘଟଣା ଶନିବାର ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଘଟିଥିଲା, ଯେତେବେଳେ ହଟ୍ ଏୟାର ବେଲୁନଟି ଆକାଶର ଉଚ୍ଚତାରୁ ୨୧ ଜଣଙ୍କୁ ନେଇ ଏକ ସୁନ୍ଦର ଦୃଶ୍ୟ ଦେଖାଇବା ପାଇଁ ଉଡ଼ାଣ ଭରିଥିଲା।  ଏହି ରୋମାଞ୍ଚକର ଯାତ୍ରା ଏହି ସମସ୍ତ ଲୋକଙ୍କ ପାଇଁ ଏକ ଭୟଙ୍କର ଦୁର୍ଘଟଣା ପାଲଟିଥିଲା। ସେହି ସମୟରେ ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ହଟ୍ ଏୟାର ବେଲୁନଟି ନିଆଁ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହା ବ୍ୟତୀତ ଭିଡିଓରେ ଜଳିଯାଇଥିବା ହଟ୍ ଏୟାର ବେଲୁନରୁ କିଛି ପଡ଼ିଥିବା ଦେଖାଯାଉଛି।

ରାଜ୍ୟ ଅଗ୍ନିଶମ ବିଭାଗ କହିଛି ଯେ, ଶନିବାର ସକାଳେ ହଟ୍ ଏୟାର ବେଲୁନରେ ନିଆଁ ଲାଗିଥିଲା। ବେଲୁନଟି ବାୟୁରେ ନିଆଁ ଲାଗିବା ପରେ, ଏହା ପ୍ରିଆ ଗ୍ରାଣ୍ଡେ ନାମକ ବ୍ରାଜିଲ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଦୁର୍ଘଟଣାଗ୍ରସ୍ତ ହେବା ପରେ ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା।

ବ୍ରାଜିଲର ପ୍ରିଆ ଗ୍ରାଣ୍ଡେ ଏହାର ରୋମାଞ୍ଚକର ହଟ୍ ଏୟାର ବେଲୁନ ଯାତ୍ରା ପାଇଁ ଜଣାଶୁଣା, ଯାହା ଜୁନ୍ ମାସରେ ଅନୁଷ୍ଠିତ ହେଉଥିବା ପର୍ବପର୍ବାଣୀ ସମୟରେ ଏକ ସାଧାରଣ ଏବଂ ଲୋକପ୍ରିୟ କାର୍ଯ୍ୟକଳାପ। ଏହି ସମୟରେ, ସେଣ୍ଟ ଜନ୍ ଭଳି କ୍ୟାଥୋଲିକ୍ ସନ୍ଥମାନଙ୍କୁ ସମ୍ମାନିତ କରାଯାଏ। ଲୋକମାନେ ଦକ୍ଷିଣ ବ୍ରାଜିଲର ପ୍ରିଆ ଗ୍ରାଣ୍ଡେ ସହରକୁ ଆକାଶରୁ ଉଚ୍ଚ ଦୃଶ୍ୟର ରୋମାଞ୍ଚ ଉପଭୋଗ କରିବାକୁ ଆସନ୍ତି।

ରିପୋର୍ଟ ଅନୁଯାୟୀ, ଗତ ରବିବାର ମଧ୍ୟ ଆଉ ଏକ ହଟ୍ ଏୟାର ବେଲୁନ ଆକାଶରୁ ଖସି ସାଓ ପାଉଲୋ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ୨୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ, ମୋଟ ୧୧ ଜଣ ଗୁରୁତର ହୋଇଥିଲେ।